ଆଜି ହେବ ଚଳିତବର୍ଷ ରଥଯାତ୍ରାର ଶେଷ ରଥ ସମନ୍ବୟ ବୈଠକ

ପୁରୀ : ଆଜି ଅନୁଷ୍ଠିତ ହେବ ଚଳିତବର୍ଷ ରଥଯାତ୍ରାର ତୃତୀୟ ବା ଶେଷ ରଥ ସମନ୍ବୟ ବୈଠକ । ଦିନ ୧୧ଟାରେ ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେବ ବୈଠକ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଦ୍ୱିତୀୟ ରଥ ସମନ୍ୱୟ ବୈଠକ ଶେଷ ହୋଇଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଉପସ୍ଥାପନ କରିଥିଲେ । ଅନ୍ୟପଟେ ରଥନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ, ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ତମାମ୍ ବ୍ୟବସ୍ଥାବଳୀ ଉପରେ ଆଜି ବୈଠକରେ ବିସ୍ତୃତ ଆଲୋଚନା ହେବ । ସେପଟେ ଦ୍ୱିତୀୟ ରଥ ସମନ୍ୱୟ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ହୋହଲ୍ଲା ହୋଇଥିବା ବେଳେ ସହରରେ ଘନଘନ ବିଦ୍ୟୁତକାଟ ସମସ୍ୟାକୁ ନେଇ ସରଗରମ ଆଲୋଚନା ହୋଇଥିଲା । ତେଣୁ ଏସବୁ ଭିତରେ ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ତେଣୁ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକ କେତେ ସକ୍ରିୟ ଅଛନ୍ତି ତାହାର ଆକ୍ସନ ପ୍ଲାନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାଖଲ କରାଯିବ ।  ବୈଠକରେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ଉପମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବେ ।