ଦୁଇ ମାସ ପୂର୍ବରୁ ପ୍ରସ୍ତୁତି, ତଥାପି କାହିଁକି ଗଡ଼ିଲେନି ଶ୍ରୀଜିଉ: କେଉଁଠି ରହିଲା ତ୍ରୁଟି ?
1 min read
ନନ୍ଦିଘୋଷ ବ୍ୟୁରୋ: ମାଳ ମାଳ ନେତା, ଅଫିସରଙ୍କୁ ରଥ ପରିଚାଳନା ଦାୟିତ୍ବ । ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ତଥାପି ରଥଯାତ୍ରାରେ ଘଟିଲା ବିଭ୍ରାଟ । ବଳଭଦ୍ରଙ୍କ ରଥ ଅଧାରାସ୍ତାରେ ଅଟକି ଥିବା ବେଳେ ଦର୍ପଦଳନ ରାଜନଅର ଆଗରେ ଓ ନନ୍ଦିଘୋଷ ରଥ କେବଳ ବିଧି ରକ୍ଷା କରିବାକୁ ଚକେ ମାତ୍ର ଗଡିଥିଲା । ରଥଯାତ୍ରାରେ ଏଭଳି ଅବ୍ୟବସ୍ଥାକୁ ନେଇ ପୋଲିସ ଓ ପ୍ରଶାସନ ଉପରେ ବର୍ଷିଛନ୍ତି ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ପୋଲିସ-ପ୍ରଶାସନ ଓ ସରକାରଙ୍କ ମଧ୍ୟରେ ସମନ୍ବୟର ଅଭାବକୁ ଦାୟୀ କରାଯାଉଥିବା ବେଳେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି ସରକାର ।
ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ରୀତିନୀତି ଆରମ୍ଭ ହୋଇଥିଲେ ବି ପହଣ୍ଡି ନିର୍ଦ୍ଧାରିତ ସମୟରେ ସରିଥିଲା । ଗଜପତିଙ୍କ ଛେରାପହଁରା ଓ ରଥରେ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ସବୁକିଛି ଠିକ ସମୟରେ ହୋଇଥିଲା । କିନ୍ତୁ ବଡଠାକୁର ବଳଭଦ୍ରଙ୍କ ରଥ ବାଗେଡିଆ ମଠ ପର୍ଯ୍ୟନ୍ତ ଯିବାକୁ ଅଧଘଣ୍ଟା ଲାଗିଲା । ତା’ପରେ ପ୍ରାୟ ୬ଟା ପର୍ଯ୍ୟନ୍ତ ହଲିଲାନି ତାଳଧ୍ବଜ । ରଥଯାତ୍ରାରେ ଭିଆଇପି ସଂସ୍କୃତି ପ୍ରଶାସନ ପାଇଁ ଅଡୁଆ ହୋଇଥାଇପାରେ ବୋଲି ଆକଳନ କରୁଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ତା’ ସାଙ୍ଗକୁ ପୁଣି ରଥରେ ସମର୍ପିତ ଭାବ ନଥିଲେ କିମ୍ବା ଅର୍ଥ, କ୍ଷମତା ଓ ପ୍ରତିପତିର ଦମ୍ଭ ରହିଲେ ବି ମହାପ୍ରଭୁ ସହ୍ୟ କରିବେନି । କାହାରି ଗର୍ବ ଓ ଅହଂକାରକୁ ମହାପ୍ରଭୁ ପ୍ରଶ୍ରୟ ଦିଅନ୍ତି ନାହିଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ।
ସର୍ବୋପରି ରଥଯାତ୍ରାର ଆୟୋଜନରେ ପୋଲିସ ପ୍ରଶାସନର ବିଫଳତା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଗତକାଲି ଯେଉଁଭଳି ପୋଲିସ କର୍ଡନର ସୁରକ୍ଷା କରିପାରି ନଥିଲା, ଆଜି ମଧ୍ୟ ଶରଧାବାଲିରେ ସମାନ ସ୍ଥିତି ଦେଖିବାକୁ ମିଳିଛି । କେଉଁଠି ଭକ୍ତ କର୍ଡନ ଭିତରକୁ ପଶିଯାଉଛନ୍ତି ତ କେଉଁଠି ଭିଡ ଭିତରେ ଗଡୁଛି ସ୍କୁଟି । ସେପଟେ ନନ୍ଦିଘୋଷ ରଥଟଣା ବେଳେ ଆଗରେ ଛତିଶଗଡର ଏକ କାର ଯାଉଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳି ଅବ୍ୟବସ୍ଥା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା । ସେହିଭଳି ଗତବର୍ଷ ରଥଯାତ୍ରାରେ ବଡଠାକୁର ରଥରୁ ପଡିଯାଇଥିଲେ । ଏହି ଅଘଟଣ ପରେ ପ୍ରଶାସନ ପ୍ରାୟଶ୍ଚିତ କରି ନଥିଲା । ଯେଉଁଥି ପାଇଁ ବଡଠାକୁର ରୁଷି ଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
କିଛି ସେବାୟତ ଓ ଗବେଷକଙ୍କ କହିବା ଅନୁଯାୟୀ ଗଜପତି ମହାରାଜ ଛେରା ପହଁରା କରି ଯିବା ପରେ କର୍ଡନ ଭାଙ୍ଗି ଯାଇଥିଲା । ଆଉ ପୋଲିସ ପୁଣି ଥରେ କର୍ଡନ କରିପାରି ନଥିଲା । ତିନି ରଥ ପାଇଁ କେଉଁ କେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ । କିନ୍ତୁ ଗୋଟେ ସମୟରେ ବଳଭଦ୍ରଙ୍କ ରଥରେ ସବୁ ଭକ୍ତ ଓ ପୋଲିସ ରହିଥିବା ଦେଖିବାକୁ ମିଳିଥିଲା । ଡାହୁକ ଓ ରଥ ଅମିନ ଯେତେ ଡାକ ମାରିଲେ ବି ପୋଲିସ ଭିଡ ନିୟନ୍ତ୍ରଣ କରିପାରି ନଥିଲା ।