ଆଜି ହେରପଞ୍ଚମୀ, ଶ୍ରୀଗୁଣ୍ଡିଚା ବିଜେ କରିବେ ଲକ୍ଷ୍ମୀ ଠାକୁରାଣୀ

ପୁରୀ : ଜନ୍ମବେଦିରେ ଚାଲିଛି ଲୀଳାଖେଳା । ମାଉସୀ ହାତରନ୍ଧା ଖାଇ ଅଗଣିତ ଭକ୍ତଙ୍କ ଗୁହାରି ଶୁଣୁଛନ୍ତି ମହାପ୍ରଭୁ । ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରି ଭାବ ବିହ୍ବଳ ଶ୍ରଦ୍ଧାଳୁ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ନୀଳାଦ୍ରିନାଥ । ମନ୍ଦିରରେ ମହାଲକ୍ଷ୍ମୀଙ୍କୁ ଛାଡ଼ି ଆସିଛନ୍ତି ଲକ୍ଷ୍ମୀକାନ୍ତ । ତେଣୁ ଅଭିମାନ କରିଛନ୍ତି ମାଆ । ହେରା ପଞ୍ଚମୀରେ ବିମଳାଙ୍କ ପରାମର୍ଶରେ ମୋହିନୀ ଚୁର୍ଣ୍ଣ ଧରି ପାଲିଙ୍କିରେ ଶ୍ରୀଗୁଣ୍ଡିଚା ଆସନ୍ତି ମାଆ । ହେଲେ ସନ୍ଧ୍ୟା ଧୂପ ନୀତି ଚାଲିଥିବାରୁ ଟେରା ପଡ଼ିଥିବାରୁ ଦର୍ଶନ ନପାଇ ନାକଚଣା ଦ୍ବାର ଦେଇ ଅଭମାନ କରି ଫେରନ୍ତି । ଆଉ ରାଗରେ ନନ୍ଦିଘୋଷ ରଥ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ମହାପ୍ରଭୁଙ୍କ ଏହି ମାନବୀୟ ଲିଳା ଦେଖିବାକୁ ଶରଧାବାଲିରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ମହାଲକ୍ଷ୍ମୀ ଫେରିବା ଜାଣି ବାହୁଡ଼ା ପାଇଁ ପ୍ରସ୍ତୁତ ହୁଅନ୍ତି ଶ୍ରୀଜଗନ୍ନାଥ । ଏଥିପାଇଁ ଷଷ୍ଠୀରେ ୩ରଥକୁ ଦକ୍ଷଣ ମୋଡ଼ ପାଇଁ ଦିଅନ୍ତି ନିର୍ଦ୍ଦେଶ । ସକାଳଧୂପ ସରିବା ପରେ ୩ଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଅଜ୍ଞାମାଳ ନେଇ ରଥ ନିକଟରେ ପହଞ୍ଚିବା ପରେ ରଥ ଦକ୍ଷିଣମୋଡ ହୋଇ ନାକଚଣା ଦ୍ବାର ନିକଟରେ ପହଞ୍ଚିବେ । ଏଥପାଇଁ ୩ ରଥର ଯାଞ୍ଚ ଓ ଆବଶ୍ଯକ ମରାମତି କରାଯାଇଛି । ଶ୍ରୀମନ୍ଦିର ବୈଷୟିକ ଟିମ୍ ଓ ପୂର୍ତ୍ତ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଓ ରେଲୱେର ବୈଷୟିକ ଟିମ ରଥର ଯାଞ୍ଚ କରିଛନ୍ତି । ଆସନ୍ତା ୪ ତାରିଖ ନବମୀ ସନ୍ଧ୍ୟା ଦର୍ଶନ । ସକାଳ ୭ ଟା ରୁ ଅପରାହ୍ନ ୫ ଟା ଯାଏଁ ହିଁ ଦର୍ଶନ ଚାଲିବ । ତା ପରଦିନ ବାହୁଡା଼ଯାତ୍ରା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।