ହୋଟେଲ ବୁକ କରୁଥିଲେ ସାବଧାନ ! ବୁକିଂ ନାଁରେ ଆକାଉଣ୍ଟ ଖାଲି କରି ନେଉଛନ୍ତି ସାଇବର ଲୁଟେରା

ଭୁବନେଶ୍ୱର : ପୁରୀ ଯିବା ପାଇଁ ହୋଟେଲ ବୁକିଂ କରୁଛନ୍ତି କି ? ଯଦି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ବୁକିଂ ନାଁ ରେ ଆକାଉଣ୍ଟ ଖାଲି କରୁଛନ୍ତି ସାଇବର ଠକ । ପୁରୀ ପରେ ଠକଙ୍କ ନଜରରେ ଭୁବନେଶ୍ୱର ହୋଟେଲ । ଦେଖିବାକୁ ପୁରା ଅବିକଳ । ୱେବସାଇଟ ଡିଜାଇନ, ହୋଟେଲ ଫଟୋ, ଗୁଗୁଲ ରିଭ୍ଯୁ, ସବୁ ମିଛ । ରଥଯାତ୍ରା ସମୟରେ ପାଖାପାଖି ୪ ଶହ ପର୍ଯ୍ୟଟକ ପୁରୀରେ ହୋଟେଲ ବୁକିଂ ନାଁ ରେ ଠକେଇର ଶିକାର ହେବା ପରେ ସତର୍କ କରିଛି କ୍ରାଇମବ୍ରାଞ୍ଚ । ଟୁରିଷ୍ଟ ଯେତେବେଳେ ଗୁଗୁଲରେ ହୋଟେଲ ନାଁ ସର୍ଚ୍ଚ କରୁଛନ୍ତି, ସେତେବେଳେ ଏହି ନକଲି ୱେବ୍ସସାଇଟ ଗୁଡିକ ସାମ୍ନାକୁ ଆସିବା ସହ ରିହାତି ଦେବା, ଆକର୍ଷଣୀୟ ଅଫରର ଲୋଭ ଦେଖାଇ ଲକ୍ଷ ଲକ୍ଷ ଲୁଟୁଛନ୍ତି । ସାଧାରଣ ନୁହେଁ ବରଂ ପ୍ରତିଷ୍ଠିତ ହୋଟେଲ ନାଁ ରେ ଠକେଇ ଖବର ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ସାଇବର ଟିମ ପକ୍ଷରୁ ଏହି ନକଲି ୱେବସାଇଟ ଗୁଡିକୁ ବ୍ଲକ କରାଯାଇଛି । ପୂର୍ବରୁ ହୋଟେଲର ଆଇଟି ସୁଦୃଢ଼ କରିବା ଦିଗରେ କ୍ରାଇମବ୍ରାଞ୍ଚ ସହ ହୋଟେଲ ମାଲିକଙ୍କ ଆଲୋଚନା ହୋଇଥିଲେ ମଧ୍ୟ ଏହାର କୌଣସି ସୁଫଳ ପର୍ଯ୍ୟଟକ ପାଇନଥିବା ଦେଖାଯାଇଛି ।
କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହୋଇଥିବା ସଚେତନତା ବାର୍ତ୍ତା ମୁତାବକ ସ୍ବୀକୃତିପ୍ରାପ୍ତ ୱେବସାଇଟରୁ ହୋଟେଲ ବୁକିଂ କରନ୍ତୁ । ଗୁଗୁଲ ମ୍ୟାପ ବ୍ୟବହାର କରି ହୋଟେଲର ଠିକଣା ଓ ନମ୍ବର କ୍ରସ ଚେକ କରନ୍ତୁ । ସୁରକ୍ଷିତ ପେମେଣ୍ଟ ଗେଟ ୱେ ବ୍ୟବହାର କରନ୍ତୁ । ବୈଧ ଇନ ଭଏସ ପାଆନ୍ତୁ । ତେବେ ବଡ଼ କଥା ହେଉଛି, ହୋଟେଲ ନୁହେଁ ପୁରୀରେ ରେଷ୍ଟୁରାଣ୍ଟରେ ଟେବୁଲ ବୁକିଂ ବେଳେ ମଧ୍ୟ ଅଧିକାଂଶ ରାଜ୍ୟ ବାହାର ପର୍ଯ୍ୟଟକ ଠକେଇର ଶିକାର ହେଉଥିବା କହିଛନ୍ତି ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ମାଲିକ । କିଛି କ୍ଷେତ୍ରରେ ସାଇବର ଠକ ନିଜର ସୈତାନ ଦିମାଗ ଲଗାଉଥିବା ବେଳେ ଆଉ କିଛି କ୍ଷେତ୍ରରେ ପର୍ଯ୍ୟଟକ, ଶସ୍ତାରୁ ହୀନସ୍ତା ହେଉଥିବା ସେ କହିଛନ୍ତି । ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଟେଲ ଆସୋସିଏସନ ସହ ଆଲୋଚନା କରାଯାଇଥିଲା । ସେମାନଙ୍କ ଆଇଟି କୁ ସୁଦୃଢ କରିବା ପାଇଁ ଆଲୋଚନା ମଧ୍ୟ ହୋଇଥିଲା । କିନ୍ତୁ କିଛି ମାଲିକଙ୍କ ବୈମାତୃକ ମନୋଭାବ ପାଇଁ ଓଡ଼ିଶାର ପର୍ଯ୍ଯଟନ କ୍ଷେତ୍ର ପ୍ରଭାବିତ ହେଉଥିବା ମତ ପ୍ରକାଶ ପାଇଛି ।