ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସାରା ରାଜ୍ୟରେ ସରକାରୀ ଦପ୍ତରରେ କାମ ଠପ

ନନ୍ଦିଘୋଷ ବ୍ୟୁରୋ ; ସାରା ରାଜ୍ୟରେ ସରକାରୀ ଦପ୍ତରରେ କାମ ଠପ । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ସମୂହ ଛୁଟିରେ ଗଲେ ଓଏଏସ ଅଫିସର । ସରକାରଙ୍କ ଜିଦ ଯୋଗୁ ଲୋକେ ହନ୍ତସନ୍ତ । ସାରା ରାଜ୍ୟରେ ଜୋର ଧରିଲା ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି । ଜଗନ୍ନାଥ ପ୍ରଧାନଙ୍କ ଇଙ୍ଗିତରେ ଆକ୍ରମଣ ହୋଇଥିବାରୁ ସେ ହେଉଛନ୍ତି ମାଷ୍ଟରମାଇଣ୍ଡ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବାକୁ ସବୁ ଜିଲ୍ଲାରେ ଓଏଏସ ଅଫିସର ନେଇଛନ୍ତି ନିଷ୍ପତ୍ତି । ଓଏଏସ ଅଫିସରମାନେ ସମୂହ ଛୁଟିରେ ଯାଇଥିବାରୁ ଜିଲ୍ଲାରେ ପ୍ରଶାସନିକ କାମ ଠପ । ସବୁ ସରକାରୀ ଅଫିସ ଖାଁ ଖାଁ, ଚେୟାର ଟେବୁଲ ବି ଖାଲି ପଡିଛି । ନିଜ ନିଜର ସମସ୍ୟାକୁ ନେଇ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି ।
ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାକୁ ଏ ଭିତରେ ତିନି ଦିନ ହେଲାଣି । ବାରମ୍ବାର ଦାବି ପରେ ପୋଲିସ ଗତକାଲି ସୁଦ୍ଧା ୫ଜଣଙ୍କୁ ଗିରଫ କରିଛି । ହେଲେ ମୁଖ୍ୟ କାର୍ପଟଦାର ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଉନି । ଖୋଦ ରତ୍ନାକର ସାହୁ ତାଙ୍କ ଏଫଆଇଆରରେ ଜଗନ୍ନାଥ ପ୍ରଧାନଙ୍କ ନିର୍ଦ୍ଦେଶରେ ଆକ୍ରମଣ ହୋଇଥିବା କହିଥିବା ବେଳେ ଓଏଏସ ସଂଘ ମଧ୍ୟ ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ କରିଛି । ତଥାପି ତାଙ୍କୁ ଏଯାଏଁ ଗିରଫ କରାଯାଉନି । ଏହାର ଫଳସ୍ବରୂପ ରାଜ୍ୟ ସାରା ସରକାରୀ କାର୍ଯ୍ୟାଳୟରେ କୌଣସି କାମ ହେଉନି । କିନ୍ତୁ ସରକାରଙ୍କୁ ନେଇ କୌଣସି ନିଘା ଥିଲା ଭଳି ଲାଗୁନି । ନିଜ ଦଳର ନେତାଙ୍କୁ ସୁରକ୍ଷା ଦେବାକୁ ଯାଇ ଦିନକୁ ଦିନ ଏହି ବିବାଦ ଅଧିକ ଜଟିଳ ହେବାରେ ଲାଗିଛି । ଏବେ ସାଧାରଣ ଲୋକ ବି ଏହି ବିବାଦରେ ଛନ୍ଦି ହୋଇ ହନ୍ତସନ୍ତ ହେଉଛନ୍ତି । ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ଦୃଢ ଭାବେ ଅଫିସରମାନେ କହୁଛନ୍ତି । ସବୁ କିଛି ନିର୍ଭର କରୁଛି ସରକାରଙ୍କ ଉପରେ ।