ଭାରତୀୟ ପାଣିପାଗ ବିଭାଗର ଆକଳନକୁ ନେଇ ଚିନ୍ତାରେ ରାଜ୍ୟବାସୀ
1 min read
ଭୁବନେଶ୍ବର : ଟଳୁନି ବନ୍ୟା ଆଶଙ୍କା । ମେ’ ମାସର ପ୍ରାକ୍-ମୌସୁମୀ ପରେ ମୌସୁମୀ ଓ ଦୁଇ ଦୁଇଟି ଲଘୁଚାପ ଯୋଗୁଁ ଜୁନରୁ ଜୁଲାଇ ଭିତରେ ବଢ଼ିଛି ବର୍ଷାର ପରିମାଣ। ବର୍ତ୍ତମାନ ସୁଦ୍ଧା ୨୧ ପ୍ରତିଶତ ଅଧିକ ବର୍ଷା ହୋଇଛି । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ଯୋଗୁଁ ୪୬ଟି ପଞ୍ଚାୟତ ପ୍ରଭାବିତ ହୋଇଥିଲା । ଏବେ ପୁଣି ଜୁଲାଇରେ ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି। ଜୁଲାଇରେ ରାଜ୍ୟରେ ଦେଖା ଦେଇପାରେ ବନ୍ୟା ଆଶଙ୍କା। ଜୁନ୍ ପହିଲାରୁ ଜୁଲାଇ ୧ ତାରିଖ ମଧ୍ୟରେ ମୟୂରଭଞ୍ଜରେ ୪୭୨.୮ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ବାଭାବିକ ଠାରୁ ୬୯% ଅଧିକ। ସେହିଭଳି ବାଲେଶ୍ଵରରେ ୨୮%, କେନ୍ଦୁଝରରେ ୪୦% ଓ ଭଦ୍ରକରେ ୧୬% ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ କହିଛି, ଜୁଲାଇରେ କେନ୍ଦ୍ରୀୟ ଭାରତ ଓ ସଂଲଗ୍ନ ଦକ୍ଷିଣ ଉପଦ୍ବୀପ ଅଞ୍ଚଳରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା ତଥା ସଂଲଗ୍ନ ଅଞ୍ଚଳ ସମେତ ବିଦର୍ଭ, ତେଲେଙ୍ଗାନା, ଗୁଜରାଟ ଓ ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଇଏମଡି। ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ କ୍ଷେତ୍ର ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି। ଅନ୍ୟପଟେ ସୁବର୍ଣ୍ଣରେଖାର ଜଳ ଧାରଣ କ୍ଷମତା ଓଡ଼ିଶାର ନଥିବାରୁ ଆହୁରି ବଢିଛି ବିପଦ।
ସ୍ବାଭାବିକ ଠାରୁ ଅଧିକ ବର୍ଷା କିଛି ଜିଲ୍ଲା ପାଇଁ ଶୁଭଙ୍କର ହୋଇପାରେ । ଗଜପତି, ନୂଆପଡ଼ା ଓ ଝାରସୁଗଡ଼ାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଛି । ଆଗକୁ ହେବାକୁ ଥିବା ଲଘୁଚାପ ବର୍ଷା ଏହାର ଭରଣା କରିପାରେ। ହେଲେ ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶା ପ୍ରତି ବିପଦ ରହିଛି । ଯେଉଁଥି ପାଇଁ ଚାଷ କାମକୁ ବାରଣ କରିଛି ଓୟୁଏଟି । ବର୍ଷାର ପରିମାଣ ବଢୁଥିବାରୁ ସାର ସିଞ୍ଚନ ଓ ତଳିବୁଣା କ୍ଷତି ଆଣିବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ରେ ବି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।