ଅଡୁଆରେ ସରକାର, କାର୍ଯ୍ୟାନୁଷ୍ଠାନ ନେବେ ନା ସଂଘକୁ ମନାଇବେ

ଭୁବନେଶ୍ବର: ଓଏଏସ୍ ସଂଘର ସମୂହ ଛୁଟି ଆନ୍ଦୋଳନକୁ ନେଇ ଅକଳରେ ରାଜ୍ୟ ସରକାର। ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ କିଙ୍ଗପିନ୍ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ଅଡି ବସିଛି ଓଏଏସ ସଂଘ। ଘଟଣାର ପ୍ରଚ୍ଛଦ ପଟରେ ଥିବା ନେତାଙ୍କୁ ଗିରଫ କରାଯିବ କି ନାହିଁ ତାକୁ ନେଇ ଶାସକ ଦଳରେ ହଲଚଲ। ଏହାରି ଭିତରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଓଏଏସ୍ ସଂଘକୁ କାର୍ଯ୍ୟରେ ଯୋଗ ଦେବାକୁ ଅପିଲ କରିଛନ୍ତି। ମନ୍ତ୍ରୀଙ୍କ ଯୁକ୍ତି, ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଯୋଜନା ଥାଏ। ତେଣୁ ଓଏଏସ ସଂଘ ସରକାରଙ୍କ ଉପରେ ଭରସା ରଖନ୍ତୁ। ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି। ଦଳରୁ ବି ଏମାନଙ୍କୁ ସସପେଣ୍ଡ କରାଯାଇଛି। ତେବେ ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ସେହିପରି ଯିଏ ଦୋଷୀ, ସେ ଦଣ୍ଡ ପାଇବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ।

ସେପଟେ ଘଟଣାର ୩ଦିନ ପରେ ବି ଜଗନ୍ନାଥ ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ଆକ୍ରମଣର ଯେଉଁ ଭିଡିଓ ଭାଇରାଲ ହେଉଛି, ତାହା ବିଏମସି ଗେଟ୍ ପାଖର ଦୃଶ୍ୟ। ଏହା ପୂର୍ବରୁ ରୁମରେ ମଧ୍ୟ ଅତିରିକ୍ତ କମିଶନଙ୍କୁ ଆକ୍ରମଣ କରାଯାଇଥିବା କହିଛନ୍ତି ବିଜେଡି ବିଧାୟକ। ତେଣୁ ମୂଳ ଭିଡିଓ ପଦାକୁ ଆସିବା ଦରକାର। କଂଗ୍ରେସ ମଧ୍ୟ ସମାନ କଥା ଉଠାଇବା ସହ ଷଡଯନ୍ତ୍ରକାରୀକୁ ବାନ୍ଧିବାକୁ ଦାବି କରିଛି। ଅନ୍ୟପଟେ ବିଜେପି କହିଛି, ଯିଏ ଦୋଷୀ, ତା ବିରୋଧରେ ପଦକ୍ଷେପ ନେବେ ସରକାର। ତେଣୁ ଏହି ଘଟଣାକୁ ନେଇ ରାଜନୀତି ନକରିବାକୁ କହିଛନ୍ତି ସରୋଜ ପାଢ଼ୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେହି ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି ବୋଲି କହିଛନ୍ତି।

ଦଳ, ସରକାର ଓ ଭାବମୂର୍ତ୍ତିକୁ ନେଇ ଦ୍ବନ୍ଦରେ ପଡ଼ିଛି ବିଜେପି। ଆଇନ ତା ବାଟରେ ଯିବ ନ୍ୟାୟରେ ପ୍ରସଙ୍ଗ ଥମିବା ବଦଳରେ ବଢିବାରେ ଲାଗିଛି। ଯାହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଏପରି ସ୍ଥିତିରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ନା ସଂଘକୁ ମନାଯିବ, ସେ ଚିନ୍ତାରେ ଘାଣ୍ଟି ହେଉଛନ୍ତି ସରକାର।