କୁଇଣ୍ଟାଲ କୁଇଣ୍ଟାଲ ଧାନ ଧରି ଚାଷୀ ହତାଶ, ବଢିବନି ଟୋକନ ଅବଧି

ଭୁବନେଶ୍ବର: ସରିଲା ଅବଧି, ଉଠିଲାନି ଧାନ । ଲଗାଣ ବର୍ଷା ଜାରି ରହିଥିବାରୁ ଚାଷୀକୂଳ ହତାଶ । ଏପରି ସ୍ଥିତିରେ ରାଜ୍ୟ ସରକାର ଟୋକନ ଅବଧି ବୃଦ୍ଧି କରିବେନି ବୋଲି ଘୋଷଣା କରିଛନ୍ତି । ସମବାୟ ମନ୍ତ୍ରୀ ପ୍ରଦୀପ୍ତ ବଳସାମନ୍ତ କହିଛନ୍ତି ଏହି ମାସ ଶେଷ ସୁଦ୍ଧା ଟୋକନ ଅବଧି ଥିଲା । ଆଉ ସରକାର ଟୋକନ ଅବଧି ବୃଦ୍ଧି କରିବେନ । ଚଳିତ ବର୍ଷ ଯେଉଁ ଲକ୍ଷ୍ୟଥିଲା ତାହା ପୂରଣ ହୋଇଛି । ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ପ୍ରାୟ ୧୯ ଲକ୍ଷ ମେଟ୍ରିକ ଟନ ଧାନ ରବି ଋତୁରେ କିଣା ସରିଲାଣି। ବର୍ଷା ପାଇଁ କଣ ଅସୁବିଧା ହୋଇଛି ତାହା ଜାଣିବା ପରେ କହିବି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।
ଟୋକନ ଅବଧି ବୃଦ୍ଧି ନହେବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି ଯେ ଖରିଫ ସମୟରେ ଧାନମଣ୍ଡି ସମସ୍ୟାରେ ଚାଷୀ ହନ୍ତସନ୍ତ ହୋଇଥିବା ବେଳେ ରବିରେ ମଧ୍ୟ ସମାନ ସ୍ଥିତିର ସାମ୍ନା କରିଛନ୍ତି । ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ୫ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରି ସ୍ଥିତିରେ ଚାଷୀ ଘର ବାହରିପାରୁନଥିବା ବେଳେ ଧାନ କିପରି ବିକ୍ରି କରିବେ ବୋଲି ବିଜେଡି ପ୍ରଶ୍ନ କରିଛି । କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଧରି ଚାଷୀ କାନ୍ଦୁଛନ୍ତି । ତେଣୁ ସରକାର ତୁରନ୍ତ ଟୋକନ ଅବଧି ବୃଦ୍ଧି କରନ୍ତୁ । ଟୋକନ ଅବଧି ବୃଦ୍ଧି ନକରିବା ଦ୍ବାରା ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ପୁଣିଥରେ ପଦାକୁ ଆସିଛି ବୋଲି କଂଗ୍ରେସ କହିଛି ।
ମଣ୍ଡିରୁ ଧାନ ଉଠୁପାରୁନି । ସରକାର ଟୋକନ ଅବଧି ବୃଦ୍ଧି ନହେବା ଘୋଷଣା କରିଛନ୍ତି । ଏପରି ସ୍ଥିତିରେ ଚାଷୀକୂଳ ଚିନ୍ତାରେ ପଡିଯାଇଛି । କୁଇଣ୍ଚାଲ କୁଇଣ୍ଟାଲ ଧାନ କିପରି ବିକ୍ରି ହେବ ସେ ନେଇ ବାଟ ଖୋଜୁଛି