ମଣ୍ଡିରୁ ଧାନ ଉଠିପାରୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର: ମଣ୍ଡିରୁ ଧାନ ଉଠିପାରୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଧାନ ଉଠାଣ ଅବଧି ସରିଯାଇଥିଲେ ବି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ମଣ୍ଡିରେ ପଡିରହିଛି । ଫଳରେ ରାଜ୍ୟର ସମସ୍ତ ଚାଷୀ ଏବେ ଚିନ୍ତାରେ ଥିବା ନିଜ ସୋସିଆଲ ମିଡିଆରେ ଚିନ୍ତା ପ୍ରକଟ କରିଛନ୍ତି ନବୀନ । ଚଳିତ ବର୍ଷ ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କଠାରୁ ରାଜ୍ୟ ସରକାର ରବି ଧାନ କିଣିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଚାଷୀଙ୍କର ଲକ୍ଷାଧିକ କ୍ୱିଣ୍ଟାଲ ଧାନ ଏପର୍ଯ୍ୟନ୍ତ ବିକ୍ରି ନହୋଇ ପଡ଼ିରହିଛି । ଯେଉଁ ଚାଷୀଙ୍କର ବଳକା ଧାନ ମଣ୍ଡିରେ ବିକ୍ରି କରିବାକୁ ପଞ୍ଜିକରଣ ହୋଇଛି, ଏଥିପାଇଁ ଜାରି ହୋଇଥିବା ଟୋକନର ଅବଧି ସରିବ ନାହିଁ । ଆବଶ୍ୟକ ସ୍ଥଳେ ଟୋକନର ଅବଧି ବୃଦ୍ଧି କରାଯିବ ବୋଲି କହିଥିଲେ ସରକାର । କିନ୍ତୁ ଦୁର୍ଭାଗ୍ୟର କଥା, ଅଚାନକ ଭାବେ ରାଜ୍ୟ ସରକାର ଜୁନ ୩୦ ତାରିଖ ଧାନ ବିକ୍ରି ଲାଗି ପଞ୍ଜିକରଣର ଶେଷ ଦିନରେ ଆଖି ସ୍କାନ କରି ଧାନ କିଣିବା ପାଇଁ ଘୋଷଣା କରୁଛନ୍ତି। ରାଜ୍ୟ ସରକାରଙ୍କର ଏପରି ଚାଷୀମାରଣ ନୀତି ପାଇଁ ଓଡ଼ିଶାର ହଜାର ହଜାର ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି। ଏଭଳି ନିଷ୍ପତ୍ତି ଚାଷୀଙ୍କ ପ୍ରତି ଅତ୍ୟନ୍ତ ବେପରୁଆ ମନୋଭାବ ପୋଷଣ ସାଙ୍ଗକୁ ଘୋର ପ୍ରତାରଣା । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୃଷିମନ୍ତ୍ର ଓ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ନବୀନ ଦାବି କରିଛନ୍ତି । ରବି ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କ ବଳକା ଧାନ ସରକାର ଉଠାଇବାକୁ ସେ ଦାବି କରିଛନ୍ତି । ଅବଧି ସରିଥିବା ସବୁ ଟୋକନର ଅବଧି ବୃଦ୍ଧି କରାଯିବା ସାଙ୍ଗକୁ ଧାନ କ୍ରୟ ସମୟ ସୀମା ମଧ୍ୟ ବୃଦ୍ଧି କରାଯାଉ । ଯାହା ଫଳରେ ଓଡ଼ିଶାର ଚାଷୀମାନେ ଆଶ୍ୱସ୍ତ ହେବା ସହ ବହୁତ ଉପକୃତ ହେବେ ବୋଲି ନବୀନ ଦାବି କରିଛନ୍ତି।