ଆଜି ନୀଳାଦ୍ରି ବିଜେ, ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ

ପୁରୀ : ସରିଲା ଘୋଷଯାତ୍ରା । ଆଜି ନୀଳାଦ୍ରି ବିଜେ । ମାନବ ଲୀଳା ସାରି ଶ୍ରୀମନ୍ଦିରକୁ ଫେରିବେ ରଥାରୂଢ଼ କୋଟି କୈବଲ୍ୟନାଥ । ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ରତ୍ନ ସିଂହାସନକୁ ଫେରିବେ ମହାବାହୁ । ଘୋଷଯାତ୍ରାରେ ୧୩ ଦିନ ଧରି ଜନ୍ମବେଦି ଓ ରଥ ଉପରୁ ଅଗଣିତ ଭକ୍ତଙ୍କୁ ଆଶିଷ ଢାଳିବା ପରେ ମହାପ୍ରଭୁ ଆଜି ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିର ଫେରିବେ । କାଳିଆ ସାଆନ୍ତଙ୍କ ପହଣ୍ଡି ସମୟରେ ଦେଖିବାକୁ ମିଳିବ ଆଉ ଏକ ମାନବୀୟ ଲୀଳା । ଗଇଁଠାଳ ଫିଟାହେବା ପୂର୍ବରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯାଇଥିଲେ ମହାପ୍ରଭୁ । ତେଣୁ ଅଭିମାନ କରିଛନ୍ତି ମାଆ ଲକ୍ଷ୍ମୀ ଠାକୁରାଣୀ । ଆଜି ଶ୍ରୀଜଗନ୍ନାଥ ଝୁଲି ଝୁଲି ଜୟବିଜୟ ଦ୍ୱାର ସମ୍ମୁଖରେ ପହଞ୍ଚିବା କ୍ଷଣି ହଠାତ୍ ସିଂହଦ୍ୱାରର କବାଟ ବନ୍ଦ କରିବେ ଲକ୍ଷ୍ମୀ ସାଆନ୍ତାଣୀ । ତେବେ ନିଜ ଧର୍ମପତ୍ନୀଙ୍କୁ ବୁଝାସୁଝା କରି ମାନଭଞ୍ଜନ କରିବା ପାଇଁ ରସଗୋଲା ଭୋଗ ଓ ପାଟବସ୍ତ୍ର ଦେବା ସହ ଗୁପ୍ତ ଗୁଣ୍ଡିଚା ପାଇଁ ପ୍ରତିଶ୍ରୁତି ଦେବା ପରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେବେ ମାଆ ସାଆନ୍ତାଣୀ । ଆସନ୍ତାକାଲି ଠାରୁ ପୁଣି ରତ୍ନସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀ ବିଗ୍ରହ । ପୁଣି ଶ୍ରୀମନ୍ଦିରରେ ଦେଖିବାକୁ ମିଳିବ ଗହଳି ଚହଳି । ନୀଳାଚଳ ଧାମରୁ ପୁଣି ବାହାରିବ ନୀଳାଚଳ ଅବଢ଼ା ।