ଏଲନ ମସ୍କଙ୍କ ପରି କେହି ବି ଏକ ନୂଆ ରାଜନୈତିକ ଦଳ ଗଠନ କରିପାରିବେ କି? ଏଥିପାଇଁ ଆମେରିକାରେ କ’ଣ ରହିଛି ନିୟମ?

1 min read

ଆମେରିକାରେ ଏଲନ ମସ୍କ ନୂଆ ରାଜନୈତିକ ଦଳ ଗଠନ କରିସାରିଛନ୍ତି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ସେଠାରେ ଜଣେ କୌଣସି ନୂଆ ପାର୍ଟି ଗଠନ କରିପାରିବ କି? ଆସନ୍ତୁ ଜାଣିବା ଏଥିପାଇଁ ଆମେରିକାରେ କ’ଣ ନିୟମ ରହିଛି । ଏକଦା ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ନିକଟତମ ବ୍ୟକ୍ତି ଭାବେ ପରିଚିତ ଥିବା ଏଲନ ମସ୍କ ଏବେ ବିରୋଧୀ ପାଲଟି ଯାଇଛନ୍ତି । ଏଲନ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳର ଘୋଷଣା କରିଛନ୍ତି । ଏହି ପାର୍ଟି ଆମେରିକାର ଦ୍ବି-ଦଳୀୟ ବ୍ୟବସ୍ଥା ବିପକ୍ଷରେ ଏକ ନୂଆ ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମସ୍କ କହିଛନ୍ତି । ସାଧାରଣ ଜନତାଙ୍କୁ ସେମାନଙ୍କର ସ୍ବାଧିନତା ଫେରାଇଦେବା ପାଇଁ ଏହି ପାର୍ଟି ଗଠନ କରାଯାଇଛି । ଆଗାମୀ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ତାଙ୍କର ଦଳ ସକ୍ରିୟ ଭାବେ ଅଂଶଗ୍ରହଣ କରିବ ବୋଲି ମସ୍କ କହିଛନ୍ତି । ୨୦୨୪ରେ ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ଜିତାଇବାରେ ମସ୍କଙ୍କ ଏକ ବଡ଼ ଭୂମିକା ରହିଥିଲା । ମାତ୍ର ଏବେ ଦୁହିଁଙ୍କର ସମ୍ପର୍କରେ ଭଟା ପଡ଼ିଛି ।

ଆମେରିକାରେ ପାର୍ଟି ଗଠନ କରିବା କଥା ଶୁଣିବାକୁ ଯେତିକି ସହଜ ଲାଗୁଛି, ସେତିକି ସହଜ ହୋଇନଥାଏ । ଏହି ପ୍ରକ୍ରିୟା ବହୁତ ଜଟିଳ ଓ ଲମ୍ବା ହୋଇଥାଏ । ମସ୍କ ନୂଆ ପାର୍ଟି ଗଠନ କରିବା ପରେ ଏବେ ପ୍ରଶ୍ନ ଉଠୁଛି, ସେଠାରେ କ’ଣ ଯେ କୌଣସି ବ୍ୟକ୍ତି ପାର୍ଟି ଗଠନ କରିପାରିବ? ଆମେରିକାରେ ଜଣଙ୍କୁ ନୂଆ ପାର୍ଟି ଗଠନ କରିବା ପୂର୍ବରୁ ଏକ ଔପଚାରିକ ନାମ ସ୍ଥିର ହୋଇଥାଏ । ପାର୍ଟିର ଅଧ୍ୟକ୍ଷ କିଏ ହେବ, କୋଷାଧ୍ୟକ୍ଷ କିଏ ହେବ ଓ ଅନ୍ୟ ପଦାଧିକାରୀ କିଏ ହେବ, ସେନେଇ ଏକ ଘୋଷଣାପତ୍ର ଓ ସଂଗଠନାତ୍ମ ଢାଞ୍ଚାର ଆବଶ୍ୟକତା ହୋଇଥାଏ । ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ କାମ କରିବା ପାଇଁ ଏହି ଢାଞ୍ଚା ପ୍ରସ୍ତୁତ କରାଯାଇଥାଏ ।

ଭାରତରେ ନିର୍ବାଚନ ଆୟୋଗଙ୍କ ପରି ଆମେରିକାରେ ମଧ୍ୟ ଫେଡେରାଲ ଇଲେକ୍ସନ କମିସନ ଅଛନ୍ତି । ଭାରତ ପରି ସେଠାରେ ମଧ୍ୟ ନୂଆ ପାର୍ଟିର ପଞ୍ଜିକରଣ ଫେଡେରାଲ ଇଲେକ୍ସନ କମିସନରେ କରାଯାଇଥାଏ । ଭାରତରେ ଯେପରି କୌଣସି ପାର୍ଟିର ସ୍ଥିତି ଅନୁସାରେ ତାହାକୁ ରାଷ୍ଟ୍ରୀୟ କି କ୍ଷେତ୍ରୀୟ ମାନ୍ୟତା ଦିଆଯାଇଥାଏ, ସେହିପରି ଆମେରିକାରେ ମଧ୍ୟ ହୋଇଥାଏ ।