କେବେ ପୂରଣ ହେବ ବାଲେଶ୍ବର ମହାନଗର ସ୍ବପ୍ନ ?

ବାଲେଶ୍ୱର : ମହାନଗର ହେବ ତ ବାଲେଶ୍ୱର ? କେବେ ବାସ୍ତବତାରେ ପରିଣତ ହେବ ସ୍ବପ୍ନ ? ଖାଲି ପ୍ରତିଶୃତି ରେ ସିମିତ ରହିଯିବ କି ଲୋକଙ୍କ ଆଶା ? ଓଡ଼ିଶାର ଏକ ସର୍ବ ପୁରାତନ ପୌରପାଳିକା ବାଲେଶ୍ଵର । ସହରକୁ ପୌରପାଳିକା ମାନ୍ୟତା ମିଳିବା ପରେ ୧୪୮ ବର୍ଷ ବିତିଲାଣି । ହେଲେ ଏହାର ବିକାଶ ଉପରେ ସତେଯେମିତି କାହାରି ନଜର ନାହିଁ । ନା ଅଛି ପ୍ରଶସ୍ତ ରାସ୍ତା ନା ସୁନ୍ଦର ଅଲୋକିକରଣ । ଡ୍ରେନେଜ୍ ଓ ପରିମଳ ବ୍ୟବସ୍ଥା ନକହିବା ଭଲ । ସେହିଭଳି ସହର ମଧ୍ୟରେ ଖେଳ ପଡିଆ କି ପାର୍କ ଗୋଟିଏ ଦେଖିବା ବି ସ୍ବପ୍ନ । ଦୁର୍ବଳ ମନୋଭାବ ଓ ଉଚିତ୍ ଭିତ୍ତିଭୂମି ଅଭାବରୁ ନୂଆ ଶିଳ୍ପ ତ ଦୂରର କଥା ପୁରୁଣା ଶିଳ୍ପ ମଧ୍ୟ ଅଧିକାଂଶ ବନ୍ଦ ପଡ଼ିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।
ଆସନ୍ତୁ ନଜର ପକାଇବା ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବାକୁ ହେଲେ କଣ ରହିଛି ନିୟମ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସର୍ବନିମ୍ନ ୩ ଲକ୍ଷ ରୁ ୬ ଲକ୍ଷ୍ୟ ଜନସାଧାରଣଙ୍କ ଭିତରେ ୩୯ ଟି ୱାର୍ଡ ରହିବ । ସେହିପରି ୬ ଲକ୍ଷରୁ ୧୨ ଲକ୍ଷ ମଧ୍ୟରେ ୫୯ ଟି ୱାର୍ଡ ୧୨ ଲକ୍ଷରୁ ୨୪ ଲକ୍ଷ ଜନସଂଖ୍ୟା ମଧ୍ୟରେ ୭୯ ଟି ୱାର୍ଡ ଏବଂ ୨୪ ଲକ୍ଷରୁ ଅଧିକ ଜନ ସଂଖ୍ୟାରେ ୧୦୯ ଟି ୱାର୍ଡ ରହିବା ଆବଶ୍ୟକ । ତେବେ ୨୦୧୧ ଜନଗଣନା ଅନୁସାରେ ବାଲେଶ୍ଵର ପୌରପାଳିକାରେ ଜନସଂଖ୍ୟା ଥିଲା ୧ ଲକ୍ଷ ୪୪ ହଜାର ୩୭୩ । ତେବେ ୨୦୨୪ରେ ଏହି ସଂଖ୍ୟା ପାଖାପାଖି ୨ ଲକ୍ଷ ୨ ହଜାରରେ ପହଞ୍ଚିଛି । ମ୍ୟୁନିସପାଲିଟି ସଂଲଗ୍ନ କିଛି ପଞ୍ଚାୟତକୁ ସାମିଲ କରି ପୌରପାଳିକାକୁ ବିସ୍ତାର କରାଯିବ ବୋଲି ବିଭିନ୍ନ ସମୟରେ ଯୋଜନା କରାଯାଇଛି । କିନ୍ତୁ ଘୋଷଣା ସତ୍ତ୍ବେ ଏହାର କାର୍ଯ୍ଯକାରିତା ନେଇ ଉଠିଛି ପ୍ରଶ୍ନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନ ।