ଭୁବନେଶ୍ବରରେ ଗର୍ଜିଲେ ରାହୁଲ, ସରକାରଙ୍କୁ ଶାଣିତ ଆକ୍ରମଣ

ଭୁବନେଶ୍ଵର : ଡବଲ ଇଞ୍ଜିନ ସରକାରକୁ ରାହୁଲଙ୍କ ନିଶାଣ । ଓଡ଼ିଶାରୁ ଚୋରି ବନ୍ଦ କର, ନହେଲେ ଜଗିବ କଂଗ୍ରେସ । କଂଗ୍ରେସ ଫୋକସରେ ଜାତିଭିତ୍ତିକ ଜନଗଣନା । ଆଦିବାସୀ, ଦଳିତ, ପଛୁଆ ବର୍ଗର ସୁରକ୍ଷା ପାଇଁ ଲଢ଼େଇ କରିବାକୁ ଆହ୍ବାନ । ଖଡଗେ କହିଲେ,ବିଜେପି ସମୟରେ ବଢ଼ିଛି ନାରୀ ନିର୍ଯାତନା ଓ ଅଫିସରଙ୍କୁ ମାଡ଼ । ଭୁବନେଶ୍ୱର ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପି ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ । ଡବଲ ଇଞ୍ଜିନ ସରକାର କିପରି ଓଡିଶାବାସୀଙ୍କ ସହ ବିଶ୍ୱାସଘାତ ଓ ପ୍ରତାରଣା କରିଛି ତାର ତଥ୍ୟ ଦେଇ କଂଗ୍ରେସ କର୍ମୀ ଓ ନେତାଙ୍କ ମନରେ ଉତ୍ସାହ ଭରିଛନ୍ତି ରାହୁଲ । ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ରାହୁଲ । ଓଡିଶା ଲୋକଙ୍କ ଠାରୁ ଚୋରି କରୁଛନ୍ତି ରାଜ୍ୟ ସରକାର । ସରକାର ବିରୋଧରେ ଏହି ଲଢେଇକୁ କଂଗ୍ରେସ ଜନତାଙ୍କ ସହିତ ମିଶି ଜିତିପାରିବ । ସବୁ ସ୍ଥାନରେ ସମ୍ବିଧାନ ଉପରେ ବିଜେପି ଆକ୍ରମଣ କରୁଛି । ମହାରାଷ୍ଟ୍ର ଭଳି ବିହାରରେ ନିର୍ବାଚନ ଚୋରି କରିବାକୁ ପ୍ଲାନ କରୁଛି । ନିର୍ବାଚନ କମିଶନ ନିଜ କାମ ନକରି ବିଜେପି ମନର କାମ କରୁଛନ୍ତି । ଭୋଟର ତାଲିକା ଓ ଭିଡିଓ ମାଗିଲେ ମିଳୁନି । ମହାରାଷ୍ଟ୍ରରେ ଲୋକସଭା ଓ ବିଧାନସଭା ଭୋଟର ମଧ୍ୟରେ ୧ କୋଟି ବ୍ୟବଧାନ ବୋଲି ରାହୁଲ ଅଭିଯୋଗ ଆଣିଛନ୍ତି । ବୀମା ଯୋଜନା ଜରିଆରେ ଚାଷୀଙ୍କୁ ସରକାର ଲୁଟ କରୁଛନ୍ତି ବୋଲି ସେ କହିଛନ୍ତି । ଓଡିଶା ସରକାର ଲୋକଙ୍କର ନୁହଁ, ଆରବପତିଙ୍କର ସରକାର ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଓଡ଼ିଶା ଯୁବକଙ୍କୁ କେତେ ରୋଜଗାର ଦେଲେ ଏହି ସରକାର ପ୍ରଶ୍ନ କରିବା ସହ ୪୦ ହଜାର ମହିଳା ନିଖୋଜ ବୋଲି ଅଭିଯୋଗ ଆଣିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଜଣେ ଅଫିସରକୁ ବିଜେପି ନେତା ବାଡ଼େଇଲେ। ଓଡ଼ିଶାରେ ୧୧ ମାସରେ ୨୮ ହଜାର ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ହୋଇଛି । ଓଡିଶାରେ ବାଲି, ଜଙ୍ଗଲ ବିକି କମିଶନ ଖାଉଛନ୍ତି ସରକାର । ରଥ ଯାତ୍ରାରେ ୩ ଜଣଙ୍କ ଜୀବନ ଗଲା । ଅନେକ ଆହତ ହେଲେ । ଓଡ଼ିଶା କଂଗ୍ରେସ ମଜଭୁତ ହେଉଛି ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ପିସିସି ସଭାପତିଙ୍କ ସହ କଂଗ୍ରେସର ମଙ୍ଗୁଆଳମାନେ ଡବଲ ଇଞ୍ଜିନ ସରକାର ଉପରେ ମଞ୍ଚରେ ବର୍ଷିଥିଲେ। ସଂବିଧାନ ସମାବେଶର ପୂର୍ବରୁ ରାହୁଲ ଚାଷୀ, ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ । ସଭା ମଞ୍ଚରେ ଓଡ଼ିଶାର କଂଗ୍ରେସର ନେତାଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରିଥିଲେ । ତେବେ ରାହୁଲଙ୍କ ଗସ୍ତ ପରେ ଓଡିଶାରେ କଂଗେସ ସଙ୍ଗଠନ କେତେ ମଜଭୁତ୍ ହେଉଛି ତାହା ଉପରେ ନିଶ୍ଚୟ ନଜର ରହିବ ।