ବୋଲବମ ଧ୍ବନିରେ କମ୍ପିଲା ଶୈବପୀଠ: ଶ୍ରାବଣର ପ୍ରଥମ ସୋମବାର ଦିନ ଜଳଲାଗି କଲେ କାଉଡ଼ିଆ

ବୋଲବମ ଧ୍ବନିରେ କମ୍ପିଲା ଶୈବପୀଠ । ଶ୍ରାବଣର ପ୍ରଥମ ସୋମବାର ଦିନ ଜଳଲାଗି କଲେ କାଉଡ଼ିଆ । ଏଥିପାଇଁ ଶିବମୟ ହୋଇଛି ଶ୍ରୀକ୍ଷେତ୍ର । ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ପୁରୀର ବାବା ଲୋକନାଥଙ୍କ ପୀଠର ଜଳଲାଗି କରିଛନ୍ତି ହଜାର ହଚାର କାଉଡ଼ିଆ । ମାନସିକ ରଖି ଦୂର ଦୂରାନ୍ତରୁ ଛୁଟି ଆସିଥିଲେ କାଉଡ଼ିଆ । କାନ୍ଧରେ ବାହୁଙ୍ଗୀ ଧରି ରାତିରୁ ମନ୍ଦିର ପରିସରରେ ଲଗାଇଥିଲେ ଲମ୍ବା ଧାଡ଼ି । ବର୍ଷସାରା ଯିଏ ଜଳରେ ବୁଡି ରହିଥାନ୍ତି, ସେହି ଲୋକନାଥ ବାବାଙ୍କ ପୀଠରେ ଜଳଲାଗି କରି ଆନନ୍ଦିତ ହୋଇଛନ୍ତି ଶ୍ରଦ୍ଧାଳୁ ।
ଜଳଲାଗି ପାଇଁ ରବିବାର ଅପରାହ୍ନରୁ ଆରମ୍ଭ ହୋଇଥିଲା ଟିକେଟ ବିକ୍ରି । ରାତି ୧୨ଟା ୧୫ ରୁ ମଙ୍ଗଳ ଆଳତି ସରିବା ପରେ ମଇଲମ ଅବକାଶ ହୋଇ ରାତି ୧୨ଟା ୩୦ରୁ ଆରମ୍ଭ ହୋଇଥିଲା ଜଳଲାଗି । ମନ୍ଦିର ପରିସର ଟିକେଟ କାଉଣ୍ଟରରୁ ୩0 ଟଙ୍କାର ଟିକେଟ ନେଇ ଧାଡ଼ିବାନ୍ଧି ଯାଇଥିଲେ କାଉଡ଼ିଆ । ବ୍ୟାରିକେଡରେ ଯାଇ ରୋଷଘର ପଛପାର୍ଶ୍ଵ ପଟୁ ମନ୍ଦିର ପ୍ରବେଶ କରିବା ସହ ଲକ୍ଷ୍ମୀ ଦ୍ୱାର ନିକଟରେ ଜଳଲାଗି କରି ଫେରିଥିଲେ । ସୁରକ୍ଷା ବ୍ୟବସ୍ଥା ସହ ପ୍ରାୟ ୨ ହଜାର କାଉଡ଼ିଆଙ୍କ ପାଇଁ ଅସ୍ଥାୟୀ ସେଡ, ପାନୀୟ ଜଳ ଆଦି ବ୍ୟବସ୍ଥା କରିଥିଲା ପ୍ରଶାସନ । ଆସନ୍ତା ସୋମବାରରେ ଆହୁରି ଭିଡ଼ ହେବା ସମ୍ଭବାନ ଥିବାରୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।