ନିମାପଡ଼ା : ପୁରୀ ଜିଲ୍ଲା ବଳଙ୍ଗାରେ ୧୫ ବର୍ଷ ବୟସ୍କା ନାବାଳିକାଙ୍କୁ କିରୋସିନ ଢ଼ାଳି ପୋଡ଼ି ମାରିବାକୁ ଉଦ୍ୟମ ଘଟଣାରେ ପୋଲିସ ଏଯାଏଁ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ତଦନ୍ତକାରୀ ଟିମ୍ ଆଜି ପୁଣି ୩ ଜଣ ସ୍ଥାନୀୟ ଯୁବକଙ୍କୁ ଜେରା କରୁଛି। ଗତ ୫ ଦିନ ଭିତରେ ପୋଲିସ ପାଖାପାଖି ୧୮ ଜଣଙ୍କୁ ପଚରାଉଚରା କରିସାରିଲାଣି। କୋଣାର୍କ ଅଞ୍ଚଳରେ ଥିବା ପୀଡ଼ିତାଙ୍କ ମାମୁଁ ଘରେ ପୋଲିସ ପହଞ୍ଚି ପଚରାଉଚରା କରୁଛି। ଘଟଣାସ୍ଥଳକୁ ଯାଇ ପୋଲିସ ଯାଞ୍ଚ କରିଛି। କିନ୍ତୁ ଏଯାଏଁ କୌଣସି ଠୋସ ସୁରାକ୍ ମିଳୁନାହିଁ। ପୋଲିସର ତଦନ୍ତ ପୀଡ଼ିତାଙ୍କ ଗାଁ ନୂଆ ଗୋପାଳପୁର ଓ ଏହାର ଆଖପାଖ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବାରୁ ଘଟଣାର ରହସ୍ୟ ସଂପୃକ୍ତ ଅଞ୍ଚଳରେ ହିଁ ଛପି ରହିଥିବା ଅନୁମାନ କରାଯାଉଛି।
ସେପଟେ ଦିଲ୍ଲୀ ଏମ୍ସରେ ପୀଡ଼ିତା ନାବାଳିକାଙ୍କ ଚିକିତ୍ସା ଚାଲିଛି। ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିବା ଚିକିତ୍ସା କରୁଥିବା ଡାକ୍ତର ମନୀଷ ସିଂଘଲଙ୍କ ସୂତ୍ରରୁ ଜଣାପଡ଼ିଛି। ଗତକାଲି ପୀଡ଼ିତା ପାଟି ବାଟେ ନରମ ଖାଦ୍ୟ ଖାଇଛନ୍ତି। କେତେକାଂଶରେ ହୋଇଛି ସ୍କିନ ଟ୍ରାନ୍ସପ୍ଲାଣ୍ଟ । ଆଜି ପୁଣି ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିଲେ ମଧ୍ୟ ସେ ଏବେ କୌଣସି ବୟାନ ଦେବା ସ୍ଥିତିରେ ନାହାନ୍ତି। ସ୍ବାସ୍ଥ୍ୟରେ ସୁଧାର ବୟାନ ଦେଇପାରିବେ ପୀଡ଼ିତା। ଭୁବନେଶ୍ବର ଏମ୍ସରେ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା। କିନ୍ତୁ ସେଥିରୁ ବିଶେଷ କିଛି ସୁରାକ୍ ମିଳିନାହିଁ। ତେଣୁ ପୁଣି ଦିଲ୍ଲୀ ଯାଇ ବୟାନ ରେକର୍ଡ କରିବାକୁ ଚାହୁଁଛି ପୋଲିସ। ବଳଙ୍ଗା ଘଟଣାରେ ଆମେ ଲଜ୍ଜିତ ବୋଲି ସୁପ୍ରିମକୋର୍ଟ କହିବା ପରେ ସମଗ୍ର ଦେଶରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ଉପରେ ମଧ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ସହ ଘଟଣା ଉପରୁ ପରଦା ଉଠାଇବାର ଚାପ ରହିଛି।


