ପରଜଙ୍ଗ କୁଆଳୋ ମୌଜାରେ ଜଙ୍ଗଲ ଜମିରେ ଅଟ୍ଟାଳିକା ନିର୍ମାଣ ପ୍ରସଙ୍ଗ, ଉଚ୍ଛେଦ କରିବାକୁ ଏନଜିଟିର ନିର୍ଦ୍ଦେଶ

1 min read

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ କୁଆଳୋ ମୌଜାରେ ଜଙ୍ଗଲ ଜମି କିସମରେ ତିନିମହଲା ଅଟ୍ଟାଳିକା ନିର୍ମାଣ ପ୍ରସଙ୍ଗ। ଅଟ୍ଟାଳିକାକୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ସେହିପରି କର୍ତ୍ତବ୍ୟରେ ଅବହେଳା ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ପରଜଙ୍ଗ ତହସିଲ କୁଆଳୋ ମୌଜାରେ ସେହି ଗ୍ରାମର ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଜଙ୍ଗଲ-ଦୁଇ କିସମ ଜମି ଉପରେ ତିନିମହଲା କୋଠା ନିର୍ମାଣ କରିଥିଲେ । ଏହାସହ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ କରିଥିଲେ। ନିଜର ହୋଟେଲ ଲାଗି ଗୋଚର ଜମିରେ ପାର୍କିଂ ସ୍ଥଳ ନିର୍ମାଣ କରିଥିଲେ। ପାଉଁଶ ପକାଇ ପାର୍କିଂ ରାସ୍ତା କରିଥିବା ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିଲା ।ଏନେଇ ୟୁଥ ୟୁନାଇଟେଡ଼ ଫର ସଷ୍ଟେନବଲ୍ ଏନଭିରମେଣ୍ଟ ଟ୍ରଷ୍ଟ ତରଫରୁ ଜିଲ୍ଲାପାଳଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଜଣାଇବା ସତ୍ତ୍ବେ କୌଣସି ସୁଫଳ ମିଳିପାରିନଥିଲା । ବାଧ୍ୟ ହୋଇ ଏନେଇ ଏନଜିଟିଙ୍କ ନିକଟରେ ଏକ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗକୁ ଗ୍ରହଣ କରି ଏନଜିଟି ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚାରି ସପ୍ତାହ ମଧ୍ୟରେ କ୍ଷେତ୍ର ପରିଦର୍ଶନ କରି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ସତ୍ୟପାଠ ଦାଖଲ କରିବା ନେଇ ନିର୍ଦେଶ ଦେଇଥିଲେ । ସେହି ଅନୁସାରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ, ମହାବିରୋଡ଼ ରେଞ୍ଜର, ପରଜଙ୍ଗ ତହସିଲଦାର ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ସତ୍ୟପାଠ ଦାଖଲ କରିଥିଲେ । ଶେଷରେ ଅଟ୍ଟାଳିକା ଉଚ୍ଛେଦ ଲାଗି ନିର୍ଦ୍ଦେଶ ଦେଇଥିଲେ ଏନଜିଟି। ଏହା ସହ ୪୫ ହଜାର ମେଟ୍ରିକ ଟନ ପାଉଁଶ କେଉଁଠୁ ଆସିଛି ତାହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ଟ୍ରଷ୍ଟ ତରଫରୁ ହୋଇଥିବା ଏହି ଅଭିଯୋଗକୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ଓ ଆଶୁତୋଷ ପାଢ଼ୀ ପରିଚାଳନା କରିଥିଲେ ।