ସେନା ଆତଙ୍କବାଦ ବିରୋଧରେ ଭାରତର ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି : ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ଭାରତର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ଅପରେସନ ସିନ୍ଦୂର କେବଳ ସେନାବାହିନୀର ଏକ ଅପରେସନ ନଥିଲା । ଏହା ଭାରତୀୟ ସେନାର ସାହସିକତାର ପ୍ରତିଫଳନ ବୋଲି ଅପରେସନ ସିନ୍ଦୂର ଉପରେ ଚାଲିଥିବା ବିତର୍କରେ ଭାଗନେଇ କହିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଆତଙ୍କବାଦୀଙ୍କ ଭୀରୁତା ବିରୋଧରେ ଭାରତୀୟ ସେନାର ଏହି ପ୍ରହାରକୁ ପ୍ରଶଂସା କରିଛନ୍ତି ମାନସ ମଙ୍ଗରାଜ । ଏହି ଅପରେସନ ପାକିସ୍ଥାନ ଓ ପିଓକେରେ ହୋଇଥିଲା । ଅପରେସନ ସିନ୍ଦୂର ଜରିଆରେ ଭାରତ ସାରା ବିଶ୍ବକୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ, ଭାରତ ଆତଙ୍କବାଦକୁ ସହ୍ୟ କରିବ ନାହିଁ କିମ୍ବା ଦେଶର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି ହେଲେ ଚୁପ ରହିବ ନାହିଁ ।
ଏହା ପ୍ରମାଣିତ କରୁଛି ଯେ, ସୁଉଚ୍ଚ ହିମାଳୟ ହେଉ କି ଜଳ କିମ୍ବା ଆକାଶ ପାଥ କିଛି ବି ଭାରତୀୟ ସେନା ପାଇଁ ଅପହଞ୍ଚ ନୁହେଁ । ଭାରତୀୟ ସେନା ସବୁ ସମୟରେ ଦେଶବାସୀଙ୍କ ସୁରକ୍ଷା ପାଇଁ ସମର୍ପିତ । ଓଡିଶା ମଧ୍ୟ ସବୁ ସମୟରେ ସେନାର ବୀରତ୍ବକୁ ସମ୍ମାନ ଦେଇଛି । ଭାରତୀୟ ସେନାର କର୍ତ୍ତବ୍ୟନିଷ୍ଠାକୁ ମଧ୍ୟ ପ୍ରତିଟି ଓଡିଆ ସମ୍ମାନ ଦେଉଛନ୍ତି । ଭାରତୀୟ ସେନା ସବୁ ସମୟରେ ପ୍ରତ୍ୟେକ ଭାରତୀୟଙ୍କୁ ସୁରକ୍ଷା ଦେଉଛନ୍ତି, କୌଣସି ରାଜନୈତିକ ଦଳକୁ ନୁହେଁ ବୋଲି କହିଛନ୍ତି ମାନସ ମଙ୍ଗରାଜ । ଦଳ ମତ ନିର୍ବିଶେଷରେ ଭାରତୀୟ ସେନାର ଏହି ବୀରତ୍ବକୁ ସମ୍ମାନ ଜଣାଇବାକୁ ସେ ଅପିଲ କରିଛନ୍ତି । ଏଥିସହ ସେନାର ଏହି ବୀରତ୍ବ ଆଗାମୀ ଦିନରେ ଦେଶର ଯୁବପିଢିଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ସେ କହିଛନ୍ତି ।
ସେପଟେ ଅପରେସନ ସିନ୍ଦୂରକୁ ସମର୍ଥନ କରିଛି ବିଜେଡି । ଏହି ବିତର୍କରେ ଭାଗ ନେଇ ବିଜେଡି ସାଂସଦ ନିରଞ୍ଜନ ବିଶି କହିଛନ୍ତି ଯେ, ଭାରତ ଗଣତନ୍ତ୍ରର ଜନକ ହୋଇଥିବା ବେଳେ ପାକିସ୍ତାନ ଆତଙ୍କବାଦର ଜନକ । ଭାରତ ଓ ପାକିସ୍ତାନ ମଧ୍ୟରେ ଅମ୍ରିତସର ଟ୍ରିଟି ଠାରୁ ଆରମ୍ଭ କରି କରାଚି ଚୁକ୍ତି, ଦିଲ୍ଲୀ ଚୁକ୍ତି, ସିମଲା ଚୁକ୍ତି ହୋଇଥିଲେ ବି ସବୁ ବେଳେ ପାକିସ୍ତାନ ଏହି ସବୁ ଚୁକ୍ତି ଓ ଟ୍ରିଟିର ଉଲଂଘନ କରୁଛି । ଅପରସେନ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନକୁ ଦୃଢ ଜବାବ ଦେଇଛି ବୋଲି ସେ କହିଛନ୍ତି ।