ରାଜଧାନୀରେ ବାଇକ ଲୁଟେରା ଗ୍ଯାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ
1 min read
ଭୁବନେଶ୍ବର : ଦିନରେ ବସ୍ ଡ୍ରାଇଭର ଓ ହେଲ୍ପର । ରାତି ହେଲେ ବାଇକ ଲୁଟ୍ । ମାଷ୍ଟର କି ରେ ଖୋଲି ମାରୁଥିଲେ ଚମ୍ପଟ । ଗାଡ଼ି ଚୋରଙ୍କ ଭାଣ୍ଡାଫୋଡ଼ କଲା କମିଶନରେଟ୍ ପୋଲିସ୍ । ଗ୍ଯାଙ୍ଗର ୫ ଅଭିଯୁକ୍ତ ଗିରଫ, ୧୫ ବାଇକ ଜବତ । ଦେଖି ନିଅନ୍ତୁ ଏହି ଭଦ୍ରବ୍ଯକ୍ତିଙ୍କୁ । ଦିନରେ ରାଜଧାନୀରେ ଏମାନେ ଚଳାଉଥିଲେ ବସ I କିଏ ଡ୍ରାଇଭର ତ ପୁଣି କିଏ ହେଲପର । ହେଲେ ରାତି ହେଲେ ଚାଲୁଥିଲା ସାଂଘାତିକ କାମ । ଗ୍ୟାଙ୍ଗର ଅନ୍ୟମାନଙ୍କ ସହିତ ରାଜଧାନୀରୁ କରୁଥିଲେ ବାଇକ ଲୁଟ୍ । ମଲ, ପାର୍କ ଓ ଅନ୍ଯ ସ୍ଥାନରେ ପାର୍କିଂ ହେଉଥିବା ବେଳେ ପୁରୁଣା ବାଇକ ଓ ସ୍କୁଟି ମାଷ୍ଟର କିରେ ଖୋଲି ଚମ୍ପଟ ମାରୁଥିଲେ । ବିଭିନ୍ନ ଗ୍ୟାରେଜରେ ଗାଡିଗୁଡିକୁ ଖୋଲି ବିକ୍ରି କରୁଥିଲେ । ବଡଗଡ଼ ଥାନା ଓ ଭରତପୁର ଥାନାରେ ମାମଲା ରୁଜୁ ପରେ ପୋଲିସ ଚଳାଇଥିଲା ଛାନଭିନ୍ନ । ଗ୍ଯାଙ୍ଗର ୫ ଜଣଙ୍କୁ ଗିରଫ କରିବା ସହ ୧୫ଟି ବାଇକ ଜବତ କରିଛି ପୋଲିସ । ଉଦ୍ଧାର ବାଇକକୁ ପ୍ରକୃତ ମାଲିକଙ୍କୁ ଫେରାଇଛି ପୋଲିସ୍ ।
ଗିରଫ ଅଭିଯୁକ୍ତମାନେ ହେଲେ ଆଶୁତୋଷ ବିଧାର, ଜଗନ୍ନାଥ ବେହେରା, ରାଜେନ୍ଦ୍ର ବେହେରା, ପ୍ରତ୍ୟୁଷ କୁମାର ସିଂ, ରଞ୍ଜିତ କୁମାର ବେହେରା । ଏମାନଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ପୁରୀ, ଖୋର୍ଦ୍ଧା, ଭୁବନେଶ୍ବର, କଟକ ଅଞ୍ଚଳରେ ଅଭିଯୁକ୍ତଙ୍କ ଘର । ତେବେ ଗ୍ଯାଙ୍ଗରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ତଦନ୍ତ କରୁଛି ପୋଲିସ । ସେପଟେ ବାଇକ ଫେରି ପାଇ ଖୁସି ବ୍ୟକ୍ତ କରିଛନ୍ତି ମାଲିକ I