ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଘଟଣା; ନିଜ ଗାଁ ଡୁମୁରୀମୁଣ୍ଡାରେ ପହଞ୍ଚିଲା ମୃତଦେହ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଘଟଣା । ନିଜ ଗାଁ ଡୁମୁରୀମୁଣ୍ଡାରେ ପହଞ୍ଚିଲା ମୃତଦେହ । ଭୁବନେଶ୍ବର ଏମ୍ସରେ ଦୀର୍ଘ ୧୯ ଦିନର ଚିକିତ୍ସା ପରେ ଗତ ଶନିବାର ଅପରାହ୍ନ ୪.୨୦ରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତଙ୍କ ମୃତ୍ୟୁ ହୋଇଥିଲା । ଆଜି ଭୋର ୪.୩୦ରେ ପୀଡ଼ିତାଙ୍କ ମୃତଦେହ ପୈତୃକ ଗାଁ ଡୁମୁରୀମୁଣ୍ଡାରେ ପହଞ୍ଚିଛି । ମୃତଦେହ ପହଞ୍ଚିବା ପୂର୍ବରୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଡୁମୁରୀମୁଣ୍ଡା ଗାଁ ପୋଲିସ ଛାଉଣୀରେ ଭର୍ତ୍ତି ହୋଇଛି ।

ନବରଙ୍ଗପୁର ଅତିରିକ୍ତ ଏସପି ଆଦିତ୍ୟ ସେନ୍ ଓ ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର ଏବଂ ଉମରକୋଟ ତହସିଲଦାର ମାଗବନ ବାଗ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଗାଁ ମଶାଣିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯିବ । ସେପଟେ ସରପଞ୍ଚ କହିଛନ୍ତି ଯେତେବେଳେ ଝିଅ ବଞ୍ଚିଥିଲେ ସେତେବେଳେ ଜୟପୁର ପୋଲିସ ତତ୍ପରତା ଦେଖାଇ ନଥିଲା। ବର୍ତମାନ ମୃତଦେହକୁ ଜଗିବା ପାଇଁ ସାରା ଜିଲ୍ଲାର ପୋଲିସ ଗଦା ହୋଇଛନ୍ତି । ଏଭଳି ଭାବରେ ଯଦି ପୋଲିସ ପୂର୍ବରୁ ତତ୍ପରତା ଦେଖାଇଥାନ୍ତା ପୀଡ଼ିତା ଆତ୍ମହତ୍ୟା କରିନଥାନ୍ତା । ଜୟପୁର ପୋଲିସର ଅବହେଳା ପାଇଁ ପୀଡ଼ିତା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଛି।