ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାର ମାଷ୍ଟର ମାଇଣ୍ଡଙ୍କ ରିମାଣ୍ଡ ଶେଷ

କଟକ : ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ମାଷ୍ଟର ମାଇଣ୍ଡ ବୋର୍ଡ ଡାଟା ଏଣ୍ଟ୍ରି ଅପରେଟର ଜୀତନ ମହାରଣା ଓ ଅଭିଯୁକ୍ତ ଶିକ୍ଷକ ନେତା ବିଜୟ ମିଶ୍ରଙ୍କ ଦୁଇ ଦିନିଆ ରିମାଣ୍ଡ ଶେଷ ହୋଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଉଭୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି। ପରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି। ଦୁଇ ଦିନିଆ ରିମାଣ୍ଡରେ ଉଭୟଙ୍କ ପାଖରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ପ୍ରଥମତଃ ପୁରା ଘଟଣାରେ ଉପସଭାପତି ନିହାର ମହାନ୍ତିଙ୍କ ସହ ଯେଉଁ ୮ ଜଣ ଗିରଫ ହୋଇଛନ୍ତି, ସମସ୍ତଙ୍କର ଏହି ହୀନ କାମରେ ବଳିଷ୍ଠ ସଂପୃକ୍ତି ରହିଛି ବୋଲି କ୍ରାଇମବ୍ରାଞ୍ଚ ବଳିଷ୍ଠ ପ୍ରମାଣ ପାଇଛି। ଦ୍ବିତୀୟତଃ ଜୀତନ ଓ ବିଜୟଙ୍କ ଠାରୁ ବହୁ କଥା ଜାଣିବା ପରେ ଆଗକୁ ଉପସଭାପତି ନିହାର ମହାନ୍ତିଙ୍କୁ ରିମାଣ୍ଡରେ ନିଆଯିବ କି ନାହିଁ ସେ ନେଇ କ୍ରାଇମବ୍ରାଞ୍ଚ ନିଷ୍ପତ୍ତି ନେବ। ତୃତୀୟତଃ ଉଭୟଙ୍କ ନିକଟକୁ ପ୍ରଶ୍ନପତ୍ର ଲିକ ପାଇଁ ଅନଲାଇନ ଛଡା ଅନ୍ୟ ବାଟରେ ଟଙ୍କା ଆସିଛି କି ନାହିଁ, ସେ ନେଇ ମଧ୍ଯ କିଛି ସୁରାକ ପାଇଛି କ୍ରାଇମବ୍ରାଞ୍ଚ। ଚତୁର୍ଥରେ ଏହି ଘଟଣାରେ ବୋର୍ଡର ଆଉ କାହାର ସଂପୃକ୍ତି ଅଛି କି ନାହିଁ ସେ ସଂପର୍କରେ ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ ବାରମ୍ବାର ପ୍ରଶ୍ନ କରିଥିଲେ ମଧ୍ଯ ସେମିତି କିଛି ପ୍ରମାଣ ହାତରେ ଲାଗିନି। କ୍ରାଇମବ୍ରାଞ୍ଚ ଆଗକୁ ବଳିଷ୍ଠ ପ୍ରମାଣ ଧରି ଏହି ଘଟଣାରେ ଚାର୍ଜସିଟ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିବ। ଏହା ସତ୍ତ୍ବେ ଏବେ ବି ତଦନ୍ତର ବାଟ ଖୋଲା ଅଛି ବୋଲି କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ କ୍ୟାମେରା ବାହାରେ କହିଛନ୍ତି।