ବାଦଲ ଫଟା ବର୍ଷାରେ ୫୨ ଜଣଙ୍କର ମୃତ୍ୟୁ, ଚାଲିଛି ଉଦ୍ଧାର କାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ : ଆକାଶରୁ ଝରିଲା ମୃତ୍ୟୁର ଝରଣା । ବାଦଲ ଫଟା ବର୍ଷାରେ ଛାରଖାର ହୋଇଗଲା ଦେବୋଭୂମି ଜମ୍ମୁ ଓ କାଶ୍ମୀରର କିସ୍ତୱାରର ଚାଶୋଟି ଗାଁ। ପାହାଡ଼ରୁ ପାଣି ଏବଂ ଭଗ୍ନାବଶେଷ ଯୋଗୁଁ ଅନେକ ଲୋକ ପ୍ରଭାବିତ ହୋଇଥିଲେ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୧୬୭ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। କିସ୍ତୱାରର ଚାଶୋଟି ଗାଁରେ ମାଚୈଲ ମାତା ଯାତ୍ରା ପାଇଁ ହଜାର ହଜାର ଭକ୍ତ ପହଞ୍ଚିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହା ଯାତ୍ରାର ପ୍ରଥମ ରହଣି । ଯାତ୍ରା ଯେଉଁଠାରୁ ଆରମ୍ଭ ହେବାକୁ ଥିଲା ସେହି ସ୍ଥାନରେ ମେଘ ଫାଟି ଯାଇଥିଲା। ଏଠାରେ ଭକ୍ତଙ୍କ ବସ୍, ତମ୍ବୁ, ଲଙ୍ଗର ଏବଂ ଅନେକ ଦୋକାନ ଥିଲା। ସବୁକିଛି ବନ୍ୟା ପାଣିରେ ଭାସି ଯାଇଥିଲା। ଚାଶୋଟି କିସ୍ତୱାର ସହରରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ମାଚାଇଲ ମାତା ମନ୍ଦିରକୁ ଯିବା ରାସ୍ତାରେ ଏହା ପ୍ରଥମ ଗାଁ । ସେନା, ପୋଲିସ, ଏନଡିଆରଏଫ ଓ ଏସଡିଆରଏଫ ଟିମ କିସ୍ତୱାଡରେ ରେସକ୍ଯୁ ଅପରେସନ ଚଲାଇଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବହୁ କ୍ଷୟକ୍ଷତି ଘଟିବା ସମ୍ଭାବନା ରହିଛି। କ୍ଷୟକ୍ଷତିର ଆକଳନ କରାଯାଉଛି । ଆବଶ୍ୟକ ଉଦ୍ଧାର ଏବଂ ଚିକିତ୍ସା ବ୍ୟବସ୍ଥା କରାଯାଉଛି। କୁପୱାରା, ବାରାମୁଲ୍ଲା, ବାନ୍ଦିପୋରା, ଶ୍ରୀନଗର, ଗନ୍ଦେରବଲ, ବଡଗାମ, ପୁଞ୍ଚ, ରାଜୌରି, ରଇସି, ଉଧମପୁର, ଡୋଡା,କାଜିଗୁଣ୍ଡ, ବନିହଲ ଓ ରାମବାନ୍ ଅଂଚଳରେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।