ନିମ୍ନମାନର କାମ କରି ମାଲେମାଲ ଠିକାଦାର, ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
1 min read
ବାସୁଦେବପୁର : ରାସ୍ତା ପ୍ରଶସ୍ତ କରାଯିବ । ସୁବିଧାରେ ଲୋକେ ଯାଆସ କରିବେ । ହେଲେ ଠିକାଦାରଙ୍କ ମନମାନିରୁ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ । ଭଦ୍ରକ ଜିଲ୍ଲା ବାସୁଦେବପୁର- ଇଚ୍ଛାପୁରକୁ ସଂଯୋଗ କରୁଥିବା ୨୩ କିଲୋମିଟର ରାସ୍ତାର ଚାଲିଛି ପ୍ରଶସ୍ତିକରଣ କାମ । ରାସ୍ତା ପ୍ରଶସ୍ତିକରଣ ପୂର୍ବରୁ ଗଛ ଓ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରିତ ହେବାର ଥିଲା । ହେଲେ ରାସ୍ତା କାମ ଶେଷ ହେବାକୁ ବସିଲାଣି ହେଲେ ହଟିନାହିଁ ଗଛ କି ଖୁଣ୍ଟ । ଖାଲି ସେତିକି ନୁହେଁ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଦାୟିତ୍ଵହୀନତା ପାଇଁ ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତା ଉପରେ ପାଣି ସିଞ୍ଚନ ହେଉନଥିବାରୁ ଲୋକେ ଧୂଳିରେ ଆକ୍ତାମାକ୍ତା ହେଉଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ।
ବାସୁଦେବପୁର- ଇଚ୍ଛାପୁର ୨୩ କିଲୋମିଟର ରାସ୍ତାର ସଂପ୍ରସାରଣ ପାଇଁ ୩୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରାସ୍ତା କାମ ଦାୟିତ୍ଵ ବିରଜା କନଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥାକୁ ଦିଆଯାଇଛି । ୧୨ ଫେବୃଆରୀ ୨୦୨୪ ରୁ ଆରମ୍ଭ ହୋଇଥିବା କାମର ଶେଷ ଅବଧି ୧୧ ଡିସେମ୍ବର ୨୦୨୫ ରହିଛି । ୧୦ ମିଟର ରାସ୍ତାର ପ୍ରଶସ୍ତିକରଣ ହେବ । କାମ ସରିବାକୁ ବସିଲାଣି ହେଲେ ଦୁଇ ପାର୍ଶ୍ଵର ଗଛ କଟାଯାଇ ନାହିଁ କି ବିଦ୍ଯୁତ ଖୁଣ୍ଟ ସ୍ଥାନାନ୍ତରିତ ହୋଇନାହିଁ । ଠିକାଦାର ରାତି ଅଧିଆ ନିମ୍ନମାନର କାମ କରି ଟଙ୍କା ହରିଲୁଟ କରୁଥିବାରୁ ବିଧାୟକ ରାସ୍ତା କାମ ବନ୍ଦ କରିଦେଇଛନ୍ତି । ଦୁର୍ନୀତି ସଂପର୍କରେ ତଦନ୍ତ କରାଯିବା ସହ ରାସ୍ତା କାମ ଶୀଘ୍ର ସାରିବାକୁ ସାଧାରଣରେ ଦାବି ଜୋର ଧରିଛି ।