ଧର୍ମଗଡରେ ନୂଆଁଖାଇର ମହକ, ହାଟରେ ଲାଗିଲାଣି ଗହଳି
1 min read
ଧର୍ମଗଡ : ଖୋଲିଲାଣି ତିହାର ହାଟ । ଲାଗିଲାଣି ଗହଳିଚହଳି । ନୂଆ ସଜ କିଣାରେ ସବୁଠି ଭିଡ଼ । ଦିନ କେଇଟା ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଘର ଲିପାପୋଛା ପରେ ନୂଆ ସଜ କିଣାକିଣିରେ ଲାଗିପଡ଼ିଛନ୍ତି ଲୋକେ । ବଜାରରୁ ନବାନ୍ନ ପାଇଁ ନୂଆ ଧାନ, ଚୁଡ଼ା, ହାଣ୍ଡି ମାଠିଆ ସାଙ୍ଗକୁ ନୂଆ ଲୁଗା ପଟା କିଣୁଛନ୍ତି l ନୂଆଁଖାଇ ଦିନ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗିବା ହେବା ପରେ ନୂଆ ଖାଇବେ ସମସ୍ତେ ।
ୟପ୍ରତି ବର୍ଷ ଭାଦ୍ରବ ମାସ ୠଷି ପଞ୍ଚମୀରେ ପାଳିତ ହୁଏ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଯିଏ ଯେଉଁଠି ଥିଲେ ବି ଏହି ପର୍ବ ପାଇଁ ସମସ୍ତେ ଘରକୁ ଫେରିଥାନ୍ତି । ବର୍ଷର ନୂଆ ଉତ୍ପାଦିତ ଫସଲକୁ ନିଜ ଇଷ୍ଟ ଦେବୀଙ୍କ ପାଖରେ ସମର୍ପଣ ପରେ ନୂଆ ଲୁଗା ପିନ୍ଧି ନବାନ୍ନ ଭକ୍ଷଣ କରିଥାନ୍ତି ପଶ୍ଚିମ ଓଡ଼ିଶାବାସୀ l ନୂଆଁଖାଇ ପର୍ବ ପରଦିନ ପଡେ ବାସି ତିଆରି । ଏହି ବାସି ତିଆରିରେ ସମସ୍ତଙ୍କ ଘରେ ଜମିଥାଏ ମାଛ ମାଂସର ଆସର । ସେଥିପାଇଁ ଏବେଠାରୁ ବଜାରରେ ଲୋକ ଛେଳି ମେଣ୍ଢା କିଣାବିକା ଆରମ୍ଭ କଲେଣି । ଅନ୍ଯପଟେ ଜୁହାର ଭେଟ ପାଇଁ କଳହାଣ୍ଡିର ବୀରବାଦ୍ଯ ଘୁମୁରା, ସମ୍ବଲପୁରୀ ସାଙ୍ଗକୁ ଘୁଟୁକା ନାଚ ବି ପ୍ରସ୍ତୁତ ରହିଛି । ନୂଆଁଖାଇ ଖାଲି ଯେ ପଶ୍ଚିମ ଓଡ଼ିଶାର ଗଣପର୍ବ ତାହା ନୁହେଁ ଏହି ପର୍ବକୁ ଛତିଶଗଡ ଲୋକ ବି ଧୁମଧାମରେ ପାଳିଥାନ୍ତି ।