NAC ଘୋଷଣା ତାଲିକାରେ ଉପେକ୍ଷା, ଯୋଗ୍ୟତା ଥାଇ ତାଲିକାରୁ ବାଦ ଦେଇଥିବାରୁ ତେଜିଲା ଆନ୍ଦୋଳନ

1 min read

ନନ୍ଦିଘୋଷ ବ୍ୟୁରୋ ; NAC ଘୋଷଣା ତାଲିକାରେ ଉପେକ୍ଷା । ଯୋଗ୍ଯତା ଥାଇ ସୁଦ୍ଧା କରାଯାଉଛି ଅଣଦେଖା । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ । ଆଜି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଲପଡ଼ାକୁ NAC ଘୋଷଣା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଫଳରେ ସହର ଦୋକାନ ବଜାର, ଅଖ ଚକ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା । ଲୋକେ ସ୍ବତଃ ଏହି ବନ୍ଦକୁ ନିଜର ସମର୍ଥନ ଜଣାଇଥିଲେ । ସେପଟେ ରେଢାଖୋଲରେ ବିଭିନ୍ନ ସମସ୍ଯା ନେଇ ଆସନ୍ତାକାଲି ବନ୍ଦ ଡାକରା ଦେଇଛି ରେଢାଖୋଲ ବିଜେଡି । ଏହି ବନ୍ଦ ଡାକରାରେ ଜରୁରୀକାଳୀନ ସେବାକୁ ଛାଡି ଦେଲେ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ରେଢ଼ାଖୋଲ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ଯ ପ୍ରେସମିଟ କରି ସୂଚନା ଦେଇଛନ୍ତି ।

କୋରାପୁଟ ଜିଲ୍ଲା ବୋରିଗୁମ୍ମାକୁ NAC ଘୋଷଣାରେ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାର କେନ୍ଦ୍ର ବୋରିଗୁମ୍ମା । ବୋରିଗୁମ୍ମା ସଂଯୋଗ କଲେ ହିଁ ଜାତୀୟ ରାଜପତ ଦେଇ ପଡୋଶୀ ଛତିଶଗଡ ଓ ଆନ୍ଧ୍ର ସହିତ ପଶ୍ଚିମ ଓଡିଶା ଯୋଗାଯୋଗ ହୋଇପାରିବ । ସହରର ଜନ ସଂଖ୍ଯା ୨୫ ହଜାରରୁ ଅଧିକ । ଭୋଟରଙ୍କ ସଂଖ୍ଯା ପ୍ରାୟ ୨୦ ହଜାର । ଏନଏସି ପାଇଁ ସମସ୍ତ ଯୋଗ୍ୟତା ଥିଲେ ବି ଏହାକୁ ଅଣଦେଖା କରାଯାଇଥିବା ପ୍ରତିବାଦରେ ଆସନ୍ତାକାଲି ୧୨ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ସେପଟେ ଚଣ୍ଡୀଖୋଲକୁ NAC ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବଡ଼ଚଣା ବିଜେଡି । ବଡ଼ଚଣା ବିଜେଡି ପକ୍ଷରୁ ଚଣ୍ଡୀଖୋଲ ଛକରେ ଗଣଧାରଣା ଓ ପ୍ରତିବାଦ କରାଯିବ। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବଡ଼ଚଣା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ନୂଆ ୧୨ଟି NAC ନେଇ ସରକାର ଘୋଷଣା କରିଥିବାବେଳେ ଏହି ତାଲିକାରୁ ଯୋଗ୍ଯ ଜିଲ୍ଲା ବାଦ ପଡ଼ିଥିବା ଅଭିଯୋଗ ହୋଇଛି ।