ସତ ମାନିଲେ ସରକାର, ଏଫସିଆଇରେ ଅଛି ସମସ୍ୟା

ଭୁବନେଶ୍ବର : ସତ ମାନିଲେ ସରକାର। ବିରୋଧୀ ଦଳରେ ଥିବା ବେଳେ ଯେଉଁ ସମସ୍ୟାକୁ ମାନୁନଥିଲେ, କ୍ଷମତାକୁ ଆସିବା ପରେ ତାହାକୁ ମାନିନେଲେ। ଚାଉଳ ଉଠାଉନାହିଁ ଏଫସିଆଇ। ଗୋଦାମରେ ଧାନ ପଡ଼ିବା ସହ ଖରିଫ ଫସଲ ପାଇଁ ସମସ୍ୟା ସୃଷ୍ଟି ହେଉଛି। କେନ୍ଦ୍ରମନ୍ତ୍ରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦିଲ୍ଲୀରେ ଭେଟି ଆଲୋଚନା କରିବା ପରେ ଏଫସିଆଇ ସମସ୍ୟା କଥାକୁ ମାନିଛନ୍ତି। ମନ୍ତ୍ରୀ କହିଛନ୍ତି, ଖରିଫ ଋତୁରେ ଧାନ ମିଲ ଗୋଦାମ ଖାଲି ନହେଲେ ଅସୁବିଧା ହେବ। ଏଫସିଆଇ ପାଇଁ ଧାନ ଉଠାଣରେ ସମସ୍ୟା ଦେଖାଦେବ। ଓଡ଼ିଶାରୁ କିପରି ଏଫସିଆଇ ଚାଉଳ ନେବ ତାହା ଉପରେ କରାଯାଇଛି ଆଲୋଚନା। ସେପଟେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଯେଉଁମାନେ ବିରୋଧୀରେ ଥିଲେ ସେମାନେ ଏବେ ସରକାରରେ। କ୍ଷମତାକୁ ଆସିବା ପରେ ଏଫସିଆଇରେ ସମସ୍ୟା ଅଛି ବୋଲି ମାନୁଛନ୍ତି। ୧ କୋଟି ଲକ୍ଷ ମେଟ୍ରିକ ଟନ ଚାଉଳ କିଣିବା ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ଚାଉଳ ଉଠାଇଲା ବେଳକୁ ଟାଳଟୁଳ ନୀତି ଅବଲମ୍ବନ ହେଉଛି। ଯାହାକୁ ନିଜେ ମାନିଛନ୍ତି ମନ୍ତ୍ରୀ। ଏହାସହ ଗୋଦାମ ଫୁଲ ରହୁଥିବାରୁ ଅଧିକାଂଶ ମିଲରେ ପଡି ରହୁଛି ଚାଉଳ। ସେହିପରି ଇନପୁଟ ସବସିଡି ବଢ଼ାଇବା ପରେ ଅନ୍ୟ ଫସଲ ପ୍ରତି ଚାଷୀଙ୍କର ଆଗ୍ରହ କମୁଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ଯାହା ସରକାରଙ୍କୁ ଅଡୁଆରେ ପକାଇଛି।

ଏଫସିଆଇରେ ସମସ୍ୟା ଥିବା କଥା ରାଜସ୍ବ ମନ୍ତ୍ରୀ ମାନିବା ପରେ କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି, ଏଫସିଆଇ ଚାଉଳ ଉଠାଉନଥିବା କଥାକୁ ମନ୍ତ୍ରୀ ସ୍ବୀକାର କରିଥିବାରୁ ଧନ୍ୟବାଦ। ଚାଉଳ ଉଠା ଯାଉନଥିବାରୁ ମିଲରେ ଚାଉଳ ପଡ଼ି ରହିଛି। ଅନ୍ୟପଟେ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଛି ବିଜେଡି। ଧାନରେ ସରକାର ସବସିଡି ଦେବା ପରେ ତେଜିଛି ରାଜନୀତି । ଇନପୁଟ ସହାୟତା ପାଇଁ ଚାଷୀମାନେ କେବଳ ଧାନ ଚାଷ ସହ ଅନ୍ୟ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ଯାହା ଏବେ ରାଜ୍ୟ ସରକାରଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି।