ବାଟବଣା ଶିଶୁବାଟିକା ଯୋଜନା, ନାହିଁ ଭିତ୍ତିଭୂମି ଓ ଆବଶ୍ୟକ ମାନବସମ୍ବଳ

ଭୁବନେଶ୍ୱର : ବିଶେଷଜ୍ଞଙ୍କ ସହ ଆଲୋଚନା ନ କରି ସ୍କୁଲଗୁଡିକରେ ଖୋଲିଚାଲିଲେ ଶିଶୁ ବାଟିକା। ପ୍ରାଥମିକ ଶିକ୍ଷକମାନେ ଶିଶୁ ବାଟିକା ପିଲାଙ୍କୁ ପଢ଼ାଇ ପାରିବେ ନାହିଁ ବୋଲି କହିବା ପରେ ଏବେ ଶିଶୁ ସେବିକା ନିଯୁକ୍ତି ହେଉଛନ୍ତି। ଏହାକୁ ଜୋରଦାର ବିରୋଧ କରିଛି ପ୍ରାକ ପ୍ରାଥମିକ ଆଶାୟୀ ଶିକ୍ଷକ ସଂଘ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିଶୁ ବାଟିକାରେ ପଢ଼ାଇବା ପାଇଁ ଡିଇସିଇ, ଇସିସିଇ ବା ଏନଟିଟି ଭଳି ସ୍ୱତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷା ଆବଶ୍ୟକ। ଏହି ଶିକ୍ଷା ଗ୍ରହଣ କରି ଓଡ଼ିଶାରେ ହଜାର ହଜାର ତାଲିମପ୍ରାପ୍ତ ପ୍ରାକ ପ୍ରାଥମିକ ଶିକ୍ଷକ ବେକାର ବସିଛନ୍ତି। କିନ୍ତୁ ସେମାନଙ୍କୁ ଶିଶୁ ବାଟିକା ପାଇଁ ନିଯୁକ୍ତି ନ ଦେଇ ଶିଶୁ ସେବିକା ନିଯୁକ୍ତି ଦେଲେ ଲାଭ କଣ ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ। ଏହା ସରକାରଙ୍କ କି ପ୍ରକାର ନୀତି ବୋଲି ପ୍ରଶ୍ନ କରିବା ସହ ରାଜ୍ୟର ଶିକ୍ଷାକୁ ଏହା କେଉଁ ସ୍ତରକୁ ନେବ ତାହା ଜଣାପଡୁଛି ବୋଲି ସେମାନେ କହିଛନ୍ତି।

ଓଡିଶା ଅଭିଭାବକ ମହାସଂଘ ରାଜ୍ୟ ସରକାରଙ୍କ ଏଭଳି ଦିଶାହୀନ ନୀତିକୁ କଡା ସମାଲୋଚନା କରିଛି। ପ୍ରାକ ପ୍ରାଥମିକ ପିଲାଙ୍କୁ ଯେଉଁମାନେ ଶିକ୍ଷା ଦେବା ପାଇଁ ତାଲିମପ୍ରାପ୍ତ ସେମାନଙ୍କୁ ନିଯୁକ୍ତି ଦିଆଯାଉନି। ତେଣେ ଯେଉଁମାନେ ସହଯୋଗୀ ହେବା କଥା ତାଙ୍କୁ ନିଯୁକ୍ତି ଦେଲେ କଣ ଲାଭ ହେବ ବୋଲି ପ୍ରଶ୍ନ କରିଛି ମହାସଂଘ। କେବଳ ଜାତୀୟ ଶିକ୍ଷା ନୀତି ଲାଗୁ ନ କରି ସେଥିରେ ଥିବା ନିୟମାବଳୀକୁ ପାଳନ କରିବାକୁ ଦାବି ହୋଇଛି। ସେପଟେ ଶାସକ ଦଳ ଏ କଥାକୁ ଗ୍ରହଣ କରିଛି। ପ୍ରଥମେ ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତି ଓ ପରେ ଶିଶୁ ସେବିକା ନିଯୁକ୍ତ ହେବା କଥା ବୋଲି ସ୍ୱୀକାର କରିଛି ଶାସକ ଦଳ।ରାଜ୍ୟରେ ଭିତ୍ତିଭୂମି ଓ ଆବଶ୍ୟକ ମାନବସମ୍ବଳ ନାହିଁ। ହେଲେ ମନଇଚ୍ଛା ଲାଗୁ ହୋଇଛି ଜାତୀୟ ଶିକ୍ଷାନୀତି। ଏହାକୁ ନେଇ ଜାରି ରହିଛି ଅସନ୍ତୋଷ।