ପୁଣି ଲଘୁଚାପ, ପୁଣି ବର୍ଷା: ରାଜ୍ୟରେ ଥମିବନି ବର୍ଷା ପ୍ରକୋପ

1 min read

ପୁଣି ଲଘୁଚାପ, ପୁଣି ବର୍ଷା । ରାଜ୍ୟରେ ଥମିବନି ବର୍ଷା ପ୍ରକୋପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି I ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା, କଟକ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା ଗଜପତି ଓ କୋରାପୁଟ ଆଦି ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ରାୟଗଡା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

୨୯ ତାରିଖ ଯାଏଁ ରାଜ୍ୟରେ ଲାଗିରହିବ ବର୍ଷା । ସମୁଦ୍ର ଅଶାନ୍ତ ଥିବାରୁ ୨୯ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗତ ୨୪ ଘଂଟାରେ କଳାହାଣ୍ଡିର ଜିଲ୍ଲାରେ ସର୍ବାଧିକ ୭୫ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ତେବେ ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।  ଉପର ମୁଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ନଦୀ ଜଳ ସ୍ତର ବଢିବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ।