ସବୁ ଦଳକୁ ଘାରିଛି ସଂଗଠନ ଚିନ୍ତା: ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ ତିନି ଦଳର ଶିବିର

ସବୁ ଦଳକୁ ଘାରିଛି ସଂଗଠନ ଚିନ୍ତା । ଦିଲ୍ଲୀରେ ବିଜେପିର କସରତ ଜାରି । ଓଡିଶାରେ ଏଆଇସିସି ଖୋଜୁଛି ଜିଲ୍ଲା ମୁଖିଆ । ସଂଗଠନ ପରେ ଜିଲ୍ଲା ସମୀକ୍ଷା କରୁଛି ବିଜେଡି ।.. ..ସଂଗଠନ ଓ ସରକାର ଏକା ସାଙ୍ଗରେ ଚଳାଇବା ଲାଗି ଶାସକ ବିଜେପିରେ ଚାଲିଛି ଜୋରଦାର କସରତ। ରାଜ୍ୟ ବିଜେପି ମଙ୍ଗୁଆଳଙ୍କ ସହ ଦିଲ୍ଲୀର ଶୀର୍ଷ ନେତୃତ୍ବଙ୍କର ଜାରି ରହିଛି କସରତ । କିଏ ରାଜ୍ୟ ପରିଷଦରେ ସାମିଲ ହେବ? କାହାକୁ ମିଳିବ ନିଗମ ଲଡୁ ? ମନ୍ତ୍ରିମଣ୍ଡଳରେ କିଏ ହେବେ ସାମିଲ, କିଏ ବାଦ ପଡିବେ ଓ କାହାର ବିଭାଗ ପରିବର୍ତ୍ତିନ ହେବ ସେ ନେଇ ରାଜ୍ୟ ଓ କେନ୍ଦ୍ର ବିଜେପି ନେତୃତ୍ବ ଓଡିଶାରୁ ଦିଲ୍ଲୀଯାଏ ମାନସମନ୍ଥନ ଜାରି ରଖିଛନ୍ତି । ବିଜେପି ପରି କଂଗ୍ରେସକୁ ମଧ୍ୟ ସଂଗଠନ ସଜାଡିବା ଟେନସନରେ ଘାଣ୍ଟି ହେଉଛି । ପ୍ରଥମଥର ଲାଗି ପିସିସି ନୁହେଁ ଏଆଇସିସି ଓଡିଶା ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଛି । ସଂଗଠନ ସୃଜନ ଅଭିଯାନ ଜରିଆରେ ୩୫ ସାଂଗଠନିକ ଜିଲ୍ଲାକୁ ଏଆଇସିସିର ୩୫ ଜଣ ପର୍ଯ୍ୟବେକ୍ଷକ ଗସ୍ତ କରି ଜିଲ୍ଲା ସଭାପତି ଚୟନ କସରତକୁ ଜୋରଦାର କରିଛନ୍ତି । ଲବି ନୁହେଁ, ଦକ୍ଷ ଲୋକଙ୍କୁ ସଂଗଠନ ଦାୟିତ୍ବ ଦେବାକୁ ଦଳ ଏପରି ନୂଆ ରଣନୀତି ପ୍ରସ୍ତୁତ କରିଥିବା କହିଛି କଂଗ୍ରେସ ।

ସଂଗଠନ ସଜାଡିବା ପ୍ରକ୍ରିୟାରେ ଦୁଇ ଜାତୀୟ ଦଳରୁ ଢେର ଆଗରେ ରହିଛି ବିଜେଡି । ବିଜେଡି ରାଜ୍ୟ ପରିଷଦ, ରାଜ୍ୟ କାର୍ଯ୍ୟକାରିଣୀ, ରାଜନୈତିକ ବ୍ୟାପର କମିଟି, ଯୁବ ଓ ଛାତ୍ର ସଭାପତି, ଅଧିକାଂଶ ସାମ୍ମୁଖ୍ୟ ଗଠନ କରି କାମ ଆରମ୍ଭ କରିଦେଇଛି । ପ୍ରତ୍ୟେକ ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାର ସାଂଗଠନିକ କାର୍ଯ୍ୟକଳାପକୁ ସମୀକ୍ଷା କରିବା ସହ ଲୋକଙ୍କ ସ୍ବର ସାଜି ସମସ୍ୟା ଦୂର କରିବାକୁ ବିଜେଡି ନେତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । ରାଜନୈତିକ ସମୀକ୍ଷକ କେ. ରବିଙ୍କ ଯୁକ୍ତି ହେଉଛି ୨୦୨୪ ନିର୍ବାଚନ ପରେ ରାଜ୍ୟର ୩ ପ୍ରମୁଖ ଦଳ ସଂଗଠନ ସଜାଡିବାରେ ଲାଗିଛନ୍ତି । ବିଜେପି ଅଙ୍କ ଛିଣ୍ଡୁନଥିବା ବେଳେ କଂଗ୍ରେସର ନୂଆ ରଣନୀତି ଦଳକୁ ଅଡୁଆରେ ପକାଉଛି । ବିଜେଡିରେ ବି ଯେମିତି ସଂଗଠନ ଚଳଚଞ୍ଚଳ ହେବା କଥା ତାହା ହେଉନାହିଁ ବୋଲି ସମୀକ୍ଷକ କହିଛନ୍ତି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ । ଏହା ପୂର୍ବରୁ ବିଜେପି, ବିଜେଡି ଓ କଂଗ୍ରେସ ସଂଗଠନ ସଜାଡିବାରେ ଲାଗିଛନ୍ତି ।