୬୦ କୋଟି ଟଙ୍କା ଠକେଇ ମାମଲାରେ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍

ନନ୍ଦିଘୋଷ ବ୍ୟୁରୋ:  ପୁଣି ଅଡ଼ୁଆରେ ପଡ଼ିଛନ୍ତି ବଲିଉଡ଼ ଅଭିନତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରା ।  ୬୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ନାମରେ ଲୁକ ଆଉଟ ସର୍କୁଲାର(ଏଲଓସି) ଜାରି କରାଯାଇଛି। ଏହି ଦମ୍ପତି ବାରମ୍ବାର ବିଦେଶ ଗସ୍ତ କରୁଥିବାରୁ ମୁମ୍ବଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ସେମାନଙ୍କ ନାମରେ ଏଲଓସି ଜାରି କରାଯାଇଛି।

ଅଭିଯୋଗ ଅନୁସାରେ, ଶିଳ୍ପା ଏବଂ ରାଜ ଜଣେ ବ୍ୟବସାୟୀ ଦୀପକ କୋଠାରୀ(୬୦)ଙ୍କ ସହିତ ଋଣ ଏବଂ ନିବେଶ ଡିଲ କରିଥିଲେ। ଯେଉଁଥିରେ ସେମାନେ ଉକ୍ତ ବ୍ୟବସାୟୀଙ୍କୁ ୬୦ କୋଟି ଟଙ୍କା ଠକିଥିବା ନେଇ ଗତ ଅଗଷ୍ଟ ୧୪ ତାରିଖରେ ଜୁହୁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଠକେଇ ପରିମାଣ ୧୦ କୋଟିରୁ ଅଧିକ ହୋଇଥିବାରୁ ମାମଲା ଇଓଡବ୍ଲ୍ୟୁକୁ ହସ୍ତାନ୍ତର କରାଯାଇଥିଲା । ଅଭିଯୋଗକାରୀ ଦୀପକଙ୍କର ଏକ ଆର୍ଥିକ ସଂସ୍ଥା ରହିଛି । ଦୀପକ ହେଉଛନ୍ତି ‘ଲୋଟସ କ୍ୟାପିଟାଲ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ’ର ମାଲିକ। ବେଷ୍ଟ ଡିଲ୍‌ ଟିଭି କମ୍ପାନୀରେ ପୁଞ୍ଜି ବିନିଯୋଗ କଲେ ଅଧିକ ସୁଧ ପ୍ରଦାନ କରାଯିବ ବୋଲି କୁନ୍ଦ୍ରା ସେତେବେଳେ ଦୀପକଙ୍କୁ ପ୍ରବର୍ତ୍ତାଇଥିଲେ।

ତଦନୁଯାୟୀ ଦୀପକ ଦୁଇଟି ଦଫାରେ ଯଥାକ୍ରମେ ୩୧.୯୫ ଏବଂ ୨୮.୫୩ କୋଟି ଟଙ୍କା କୁନ୍ଦ୍ରାଙ୍କ କମ୍ପାନୀରେ ବିନିଯୋଗ କରିଥିଲେ। ୨୦୧୬ରେ ବେଷ୍ଟ ଡିଲ୍‌ କମ୍ପାନୀ ଦେବାଳିଆ ଘୋଷିତ ହୋଇଥିବାବେଳେ ଶିଳ୍ପା ଏହି କମ୍ପାନୀର ନିର୍ଦେଶିକା ପଦରୁ ଇସ୍ତଫା ଦେଇଥିଲେ। ମୂଳଧନ ଫେରିପାଇବାକୁ ଦୀପକ ଏକାଧିକ ଥର ଉଦ୍ୟମ କରି ବିଫଳ ହେବାପରେ ଥାନାରେ ଏତଲା ଦେଇଥିଲେ। ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଧାରା ଅନୁଯାୟୀ ମୁମ୍ବାଇ ପୋଲିସ ଶିଳ୍ପା ଓ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଅପରପକ୍ଷରେ ଏହି ଠକେଇ ଅଭିଯୋଗକୁ  ଦମ୍ପତି ଖଣ୍ଡନ କରିଛନ୍ତି। କିନ୍ତୁ ଅଭିଯୋଗକାରୀଙ୍କ ଅଭିଯୋଗକ୍ରମେ ଏବେ ଚାଲିବ ତଦନ୍ତ ।