ଉପାନ୍ତ ଶିକ୍ଷା ବ୍ଯବସ୍ଥାକୁ ଅବହେଳା

1 min read

ନନ୍ଦିଘୋଷ ବ୍ୟୁରୋ: ଉପାନ୍ତ ଶିକ୍ଷା ବ୍ଯବସ୍ଥାକୁ ଅବହେଳା । ୟୁଜିସି 2-F ମାନ୍ଯତା ସତ୍ତ୍ବେ ଭିତ୍ତିଭୂମି ପାଇଁ ସଂଘର୍ଷ କରୁଛି ଜୟପୁର ବିକ୍ରମଦେବ ବିଶ୍ବବିଦ୍ଯାଳୟ । ଜମି ହସ୍ତାନ୍ତର ହୋଇପାରୁ ନଥିବା ବେଳେ ନାହାନ୍ତି ସ୍ଥାୟୀ ଅଧ୍ଯାପକ କିମ୍ବା ପ୍ରଧ୍ଯାପକ । ବିଶ୍ବବିଦ୍ଯାଳୟ ଘୋଷଣା କରିବା ସହ ଶିକ୍ଷା ବ୍ଯବସ୍ଥାର ଉନ୍ନତି ଆଣିଥିଲେ ପୂର୍ବ ସରକାର । ହେଲେ ଏବେ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ଛାତ୍ର ସଂସଦ ଆଲୁମିନି ।

ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟକୁ ଅଣଦେଖା । ଜମି ହସ୍ତାନ୍ତ ନହେବାରୁ ବିକାଶ ହେଉନି ଭିତ୍ତିଭୂମି । ନାହାନ୍ତି ସ୍ଥାୟୀ ଅଧ୍ଯାପକ କିମ୍ବା ପ୍ରଧ୍ଯାପକ । ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ଯାହାତ । ଦୁଇବର୍ଷ ତଳେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଶ୍ବବିଦ୍ୟାଳୟରେ ଘୋଷଣା କରିଥିଲେ । ଏହାରି ଭିତରେ ବିଶ୍ବବିଦ୍ଯାଳୟ ଅନୁଦାନ ଆୟୋଗ ପକ୍ଷରୁ ମିଳିଛି ୨-ଏଫ୍ ମାନ୍ୟତା । କିନ୍ତୁ ନା ଏଠାରେ ଅଛନ୍ତି ସ୍ଥାୟୀ ଅଧ୍ଯାପକ କିମ୍ବା ପ୍ରଧ୍ଯାପକ ନା ମିଳିଛି ବିଶ୍ବ ବିଦ୍ୟାଳୟ ପାଇଁ ଜମି । ସ୍ଥାୟୀ କୁଳପତି ବି ନାହାନ୍ତି । ଅତିଥି ଅଧ୍ଯାପକରେ ଚାଲିଛି ପାଠପଢା । ବିଶ୍ବବିଦ୍ୟାଳୟ ପାଇଁ  ୭୨ ଏକର ଜମି ଦେବାକୁ ସ୍ଥିର କରିଥିବା ବେଳେ ମାତ୍ର ୪୦ ଏକର ଜମି ଦେବାକୁ RDC ନିକଟକୁ ଯାଇଛି ଫାଇଲ୍ । ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ଯବସ୍ଥାକୁ ଅବହେଳା କରାଯାଉଥିବା ଅଭିଯୋଗ କରିଛି ଛାତ୍ର ସଂସଦ ଆଲୁମିନି ।

ପୂର୍ବରୁ ବିକ୍ରମଦେବ ଓଡ଼ିଶା ସରକାରଙ୍କ ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟ ତାଲିକାରେ ଥିଲା । ବର୍ତ୍ତମାନ ୟୁଜିସି ୨ ଏଫ ମାନ୍ୟତା ମିଳିବା ପରେ ବିଶ୍ଵବିଦ୍ୟାଳୟର ଡିଗ୍ରୀଧାର ଛାତ୍ରଛାତ୍ରୀ ଦେଶ ବିଦେଶର ଯେକୌଣସି ବିଶ୍ଵବିଦ୍ୟାଳୟର ପରବର୍ତ୍ତୀ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟ ହେବେ । ହେଲେ ତୁରନ୍ତ ଜମି ହସ୍ତନ୍ତର ହେଲେ ବିଶ୍ବ ବିଦ୍ୟାଳୟ କାର୍ଯ୍ୟ ଆଗକୁ ବଢିବା ସହିତ ସ୍ଥାୟୀ ଅଧ୍ଯାପକ ମଧ୍ଯ ନିଯୁକ୍ତି ହେବା ନେଇ ବାଟ ଫିଟିପାରିବ ବୋଲି କହିଛନ୍ତି ଦାୟିତ୍ବରେ ଥିବା କୁଳପତି ।

ବିକ୍ରମଦେବ ବିଶ୍ବ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଭିତ୍ତିଭୂମୀ ଓ ସ୍ଥାୟୀ ଅଧ୍ଯାପକ ସହିତ ସ୍ଥାୟୀ କର୍ମଚାରୀ ଯୋଗାଇଦେବାରେ ବହୁ ବିଳମ୍ବ ହୋଇଥିବା ବେଳେ ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।