କାର୍ଯ୍ୟକାରୀ ହେଉନି ସ୍ମାର୍ଟ ଶ୍ରେଣୀ ଗୃହ, ଅସାମାଜିକ ବ୍ୟକ୍ତିଙ୍କ ପାଲଟିଛି ଆଡ୍ଡାସ୍ଥଳୀ

1 min read

ଗଜପତି : ପରିତ୍ୟକ୍ତ ଅବସ୍ଥାରେ 5T ସ୍କୁଲ । କାର୍ଯ୍ୟକାରୀ ହେଉନି ସ୍ମାର୍ଟ ଶ୍ରେଣୀ ଗୃହ । ଅସାମାଜିକ ବ୍ୟକ୍ତିଙ୍କ ପାଲଟିଛି ଆଡ୍ଡାସ୍ଥଳୀ । ସରକାର ବଦଳିବା ପରେ ଉନ୍ନତ ମାନର ଶିକ୍ଷା ଭିତ୍ତିଭୂମିକୁ କରାଯାଉଛି ଅଣଦେଖା । … ଯାହାର ନିଚ୍ଛକ ଚିତ୍ର ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ସୀତାପୁର ସ୍କୁଲରେ ୪ଟି ଶ୍ରେଣୀ ଗୃହରେ ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ପାଠପଢା । ବିଦ୍ୟାଳୟରେ ମୋଟ ୧୫୯ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ନବମ ଓ ଦଶମ ଶ୍ରେଣୀରେ ଅଛନ୍ତି ୫୧ ଜଣ । ହେଲେ ଶ୍ରେଣୀ ଗୃହ ଅଭାବରୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ପୂର୍ବ ସରକାର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉନ୍ନତ ମାନର ଶିକ୍ଷା ପାଇଁ ୩୬ ଲକ୍ଷ ବ୍ୟୟରେ ନୂତନ ବିଦ୍ୟାଳୟ କୋଠା ନିର୍ମାଣ କରିଥିଲେ । ଯେଉଁଥିରେ ସ୍ମାର୍ଟ ଶ୍ରେଣୀ ଗୃହ, ଇ-ଲାଇବ୍ରେରୀ, ବିଜ୍ଞାନଗାର, ଅତ୍ୟାଧୁନିକ ଶୈାଚାଳୟ ସହ ଶୈକ୍ଷିକ ପରିବେଶ କରାଯାଇଥିଲା  । ହେଲେ କୋଠାଟିକୁ କାର୍ଯ୍ଯକାରୀ କରୁନାହାନ୍ତି ଏବେକାର ସରକାର । ଫଳରେ 5T ବିଦ୍ୟାଳୟ କୋଠା ପରିସରରେ ଲତା ବୁଦା ମାଡିଗଲାଣି । ଖାଲି ସେତିକି ନୁହେଁ ବିଦ୍ୟାଳୟ ପରିସର କବାଡି ବାଲାଙ୍କ ଗୋଦାମ ସହ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି।

‎୨୦୨୩-୨୪ ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିଲା ଉନ୍ନତ ମାନର ବିଦ୍ୟାଳୟ କୋଠା । କୋଠା ନିର୍ମାଣକୁ ଦୁଇ ବର୍ଷ ହେଲାଣି କିନ୍ତୁ ବିଦ୍ୟାଳୟ କାର୍ଯ୍ଯକ୍ଷମ ହୋଇନାହିଁ । ଫଳରେ ଛାତ୍ରଛାତ୍ରୀ ମାନେ ଉନ୍ନତ ପ୍ରଣାଳୀରେ ଶିକ୍ଷା ଲାଭରୁ ବଞ୍ଚିତ ରହିଛନ୍ତି । ଯଥାଶୀଘ୍ର ଏହି ନୂତନ ବିଦ୍ୟାଳୟ ଚାଲୁ କରିବାକୁ ଦାବି କରିଛନ୍ତି ବିଦ୍ୟାର୍ଥୀ ଓ ଅଭିଭାବକ । ସେପଟେ ଯଥାଶୀଘ୍ର ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।