ବାଣୀବିହାରରେ ଅପରେସନ ଅଲଆଉଟ, ହଷ୍ଟେଲ ପରେ କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟରେ ଅପରେସନ ଅଲଆଉଟ । ଅଣଛାତ୍ର ପରେ ଜବରଦଖଲକାରୀ । ହଷ୍ଟେଲ ପରେ ସରକାରୀ କ୍ବାର୍ଟର୍ସରେ ଚଢ଼ାଉ । ତାଲା ଭାଙ୍ଗି ଘର ସିଲ୍ କଲା ଟିମ୍ । କଟିଲା ପାଣି ଓ ବିଦ୍ୟୁତ ସେବା । ସରକାରୀ କର୍ମଚାରୀଙ୍କ ଘର ଭଡା ଦେବା ନେଇ ତାଲିକା ପ୍ରସ୍ତୁତ । ଗୋଟିଏ କି ଦୁଇଟି ନୁହଁ ୫୦ କ୍ବାର୍ଟର  ହୋଇଥିଲା ଜବରଦଖଲ। ବର୍ଷେ କି ଦୁଇ ବର୍ଷ ନୁହଁ ୩୦ ବର୍ଷ ହେଲା ମାଡି ବସିଛନ୍ତି ଘର । କିଏ ହଷ୍ଟେଲରେ କାମ କରୁଛି ତ ଆଉ କିଏ ରୋଷେୟା । ଆଉ କିଏ ରଙ୍ଗ ମିସ୍ତ୍ରୀ । ପାଣି, ବିଦ୍ଯୁତ ସବୁ ମାଗଣା । ସବୁଜ ପରିବେଶ ସାଙ୍ଗକୁ ଭିଆଇପି ଟାଇପ୍ କ୍ବାର୍ଟର୍ସର ସୁବିଧା । ଏପରିକି ରୋଷେଇ କରିବାକୁ କାଠ କି ଗ୍ଯାସ ନୁହେଁ ଲାଗୁଥିଲା ହିଟର । ଅନବରତ ବୁଲୁଥିଲା ଫ୍ୟାନ, ଜଳୁଥିଲା ଲାଇଟ୍ । ବିଦ୍ଯୁତ ବିଲ ଦେବାକୁ ପଡୁନଥିବାରୁ କୁଲର, ଫ୍ରିଜ ବି ଲଗାଇଥିଲେ । କିଏ ଘର ଘର ଭଡାରେ ଲଗାଇଥିଲା ତ ଆଉ କିଏ ପୂର୍ବତନ କର୍ମଚାରୀଙ୍କ ଲିଙ୍କରେ ରହୁଥିଲେ । ଆଉ କିଏ ଚାକିରି ସରିବା ପରେ ମଧ୍ୟ କ୍ୟାମ୍ପସ ଛାଡ଼ି ନାହାନ୍ତି । କିଛି କର୍ମଚାରୀ କ୍ୟାମ୍ପସ ବାହାରେ ରହି ନିଜ କ୍ବାର୍ଟର୍ସ ଅନ୍ୟକୁ ଭଡ଼ାରେ ଦେଇଛନ୍ତି । ଏପରିକି ଜବରଦାଖଲକାରୀ ନିଜେ ମାଡି ପଛପଟକୁ ଭଡ଼ାରେ ଦେଇଛନ୍ତି । କୁଡିଆ ଘରେ ଭିତରୁ ହିଟର, ଫ୍ରିଜ ଓ ଡବଲ ଗ୍ଯାସ ହାଣ୍ଡି ମିଳିଛି । ଗତକାଲି ସନ୍ଧ୍ଯା ଶୁଦ୍ଧା ଘର ଖାଲି କରିବାକୁ ନୋଟିସ କରିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କମିଶନରେଟ ପୋଲିସର ସହାୟତାରେ କ୍ବାର୍ଟର୍ସ ଗୁଡିକୁ ଜବରଦଖଲ ମୁକ୍ତ କରାଯାଇଛି ।

ବାଣୀବିହାର କ୍ୟାମ୍ପସରେ ୬୧୦ କ୍ୱାର୍ଟର୍ସ ରହିଛି । ୪୯୨ ଷ୍ଟାଫକୁ ରହିବା ପାଇଁ ଅନୁମତି ମିଳିଛି । ବଳକା ୧୧୮ ଖାଲି ପଡ଼ିଛି । ୪୯ କ୍ୱାର୍ଟରରେ ଲୋକ ଅନଧିକାର ଭାବେ ଲୋକେ ରହୁଥିଲେ । ଜବରଦଖଲ ମୁକ୍ତ ହେବା ପରେ ଘର ସିଲ କରାଯିବା ସହ ଆସବାବପତ୍ର ବାହାରେ ରଖି ଦେଇଛନ୍ତି । ଆଉ କିଏ ଉଚ୍ଛେଦ ପୂର୍ବରୁ ଗାଡିରେ ଭର୍ତ୍ତି କରି ନେଇଛନ୍ତି । ପାଣି ଓ ବିଦ୍ୟୁତ ବିଲ ବାବଦକୁ କର୍ତ୍ତୃପକ୍ଷ ମୋଟା ଅଙ୍କର ଟଙ୍କା ପୈଠ କରୁଛି । ଜବରଦଖଲ ମୁକ୍ତ ହୋଇଥିବା କ୍ବାର୍ଟର୍ସ ଗୁଡିକ ବିପଦସଂକୁଳ ଅବସ୍ଥାରେ ଥିବାରୁ ଆର ଆଣ୍ଡ ବି ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ଭଙ୍ଗା ଯିବ । ସେପଟେ କ୍ୟାମ୍ପସରୁ ବସ୍ତି ଉଚ୍ଛେଦ ଲାଗି ବିଏମସି ସହିତ ଆଲୋଚନା କରାଯିବ ବୋଲି କହିଛନ୍ତି ଭିସି । ବାଣୀବିହାରରେ ଆଇନଶୃଙ୍ଖଳ ଦୃଷ୍ଟିରୁ ୨ ପ୍ଳାଟୁନ ପୋଲିସ ଫୋର୍ସ ଓ ବଛା ବଛା ପୋଲିସ ଅଧିକାରୀ ମୁତୟନ ହୋଇଥିଲେ ।