ସାରା ରାଜ୍ୟରେ ସାର ପାଇଁ ଘାଣ୍ଟି ହେଲେଣି ଚାଷୀ…

1 min read

ନନ୍ଦିଘୋଷ ବ୍ୟୁରୋ : ସାରା ରାଜ୍ୟରେ ସାର ସଙ୍କଟ । ସବୁଠି ଲାଗୁଛି ଲମ୍ବା ଲାଇନ । ବସ୍ତାଏ ସାର ପାଇଁ ନାକେଦମ୍ ଚାଷୀ । କୋରାପୁଟ ଜିଲ୍ଲାରେ ଉତ୍କଟ ରୂପ ଧାରଣ କରିଛି ସାର ସମସ୍ୟା । ରାତି ଉଜାଗର ହୋଇ ଚାଷୀ ନିରାଶ । ଏପରି ସ୍ଥଳେ ଓଡ଼ିଶା କୃଷି ଶିଳ୍ପ ନିଗମ-OAICର ଗେହ୍ଲା ପୁଅ ସାଜିଛନ୍ତି ବେସରକାରୀ ଡିଲର୍ସ । ଅଲଗା ଲ୍ୟାମ୍ପସକୁ ଅଣଦେଖା କରି ସିଂହଭାଗ ସାର ନିର୍ଦ୍ଦିଷ୍ଟ ଡିଲର୍ସକୁ ଦିଆଯାଉଛି । ଚାଷୀଙ୍କୁ ଚଢ଼ାଦରରେ ସାର ବିକିବା ପରେ ଭାଗବଣ୍ଟା ହେଉଛି ଲାଭାଂଶ ଟଙ୍କା । ଅଥଚ ଏହାର ଯାଞ୍ଚ ହେଉନି । ଜିଲ୍ଲା କୃଷି ବିଭାଗ ସବୁ ଜାଣି ଅନ୍ଧାରରେ ବାଡ଼ି ବୁଲାଉଛି । ଚଳିତ ଥର ସାର ଅଭାବ ପରିସ୍ଥିତି ସୃଷ୍ଟି ହେବା ପରେ ସାର ବଣ୍ଟନରେ ଚାଲିଥିବା ପ୍ରିୟାପ୍ରୀତି ଘଟଣା ପଦାକୁ ଆସିଛି । ଓଡ଼ିଶା କୃଷି ଶିଳ୍ପ ନିଗମର କୋରାପୁଟ କାର୍ଯ୍ୟାଳୟରେ ପଞ୍ଜୀକରଣ କରିଛନ୍ତି ଜିଲ୍ଲାର ୩୬ ଡିଲର । ହେଲେ କୃଷି ଶିଳ୍ପ ନିଗମକୁ ମିଳିଥିବା ମୋଟ ସାର ମଧ୍ୟରୁ ୯୦ ପ୍ରତିଶତ ସାର ୪ଟି ନିର୍ଦ୍ଦିଷ୍ଟ ଡିଲରଙ୍କୁ ବିକ୍ରି ପାଇଁ ଦିଆଯାଇଛି । ଅନ୍ୟ ୩୨ ଡିଲରଙ୍କୁ ଗୋଟିଏ, ଦୁଇ ଟ୍ରକ୍ ସାର ଦେଇ କାମ ଚଳାଇ ଦିଆଯାଇଛି । ଯାହା ବ୍ୟବସାୟୀ ଓ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ସ୍ପଷ୍ଟ ପ୍ରମାଣ କରିଛି । ଏପଟେ ସାର ପାଇଁ ନାରାୟଣପାଟଣା ଓ କୋଟପାଡ ଲ୍ୟାମ୍ପସ ଆଗରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ଚାଷୀ ।

ଓଡ଼ିଶା କୃଷି ଶିଳ୍ପ ନିଗମ ନିୟମାନୁଯାୟୀ ଡିଲର୍ସ ପ୍ରଥମେ ଟଙ୍କା ଡିପୋଜିଟ୍ କରିବା ପରେ ସାର ଓଏଆଇସି ଗୋଦାମରୁ ଉଠାଇବା କଥା । କିନ୍ତୁ ବିଭାଗୀୟ ଅସାଧୁ କର୍ମଚାରୀ ବେସରକାରୀ ଡିଲରଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ପ୍ରଥମେ ସାର ଦେଇ ପରେ ଟଙ୍କା ସଂଗ୍ରହ କରିଛନ୍ତି । ଏପଟେ ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ କହିଛନ୍ତି ଜିଲ୍ଲାରେ ସାର ଅଭାବ ନାହିଁ । ଓଏଆଇସି ପକ୍ଷରୁ ସାର ବଣ୍ଟନରେ ହୋଇଥିବା ପକ୍ଷପାତିତାର ତଦନ୍ତ କରାଯିବ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ସେବା ସମବାୟ ସମିତି ସାମ୍ନାରେ ସାର ପାଇଁ ରାତିରେ ଶୋଇଲେ ଚାଷୀ । ସେପଟେ ଖଲିଙ୍ଗି ସୋସାଇଟିରେ ଧାଡ଼ିରେ ଠିଆ ହୋଇ ତିନି ଜଣ ମହିଳା ଅଚେତ ହୋଇ ପଡ଼ିଛନ୍ତି । ଅନୁଗୁଳ ଜିଲ୍ଲା ବାଗଡ଼ିଆ ସୋସାଇଟିରେ ବି ଚାଷୀ ଲମ୍ବା ଲାଇନ ଲଗାଇଛନ୍ତି । ଏଠି ପ୍ରଶ୍ନ ଉଠୁଛି- କେବେ ସୁଧୁରିବ ସାର ସମସ୍ୟା ? ଚାଷୀଙ୍କୁ ଏତେ ଅଣଦେଖା କାହିଁକି ?