ହ୍ୟାଣ୍ଡଶେକ ବିବାଦ ମଧ୍ୟରେ ପୁଣି ହେବ ଭାରତ-ପାକିସ୍ତାନ ମ୍ୟାଚ, ସ୍ଥିର ହେଲା ତାରିଖ
1 min read
ଏସିଆ କପ ୨୦୨୫ରେ ଭାରତ ଓ ପାକିସ୍ତାନ ଟିମ ମଧ୍ୟରେ ପୁଣି ଥରେ ମୁକାବିଲା ହେବ । ଉଭୟ ଟିମ୍ ସୁପର-୪ ରାଉଣ୍ଡ ପାଇଁ କ୍ବାଲିଫାଏ କରିଛନ୍ତି । ଦୁଇ ଟିମ୍ ମଧ୍ୟରେ ହେବାକୁ ଥିବା ମୁକାବିଲାର ତାରିଖ ଧାର୍ଯ୍ୟ କରାଯାଇଛି । ଭାରତୀୟ ଟିମ୍ ଗ୍ରୁପ ଷ୍ଟେଜ ମ୍ୟାଚ ପରେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇନଥିଲା । ତା’ପରେ ଦୁଇ ଦେଶ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । ଏହି ଘଟଣା ପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ବୟକଟ କରିବାକୁ ଧମକ ଦେଇଥିଲା । ଉକ୍ତ ବିବାଦ କାରଣରୁ ୟୁଏଇ-ପାକିସ୍ତାନ ମ୍ୟାଚ ବିଳମ୍ବରେ ହୋଇଥିଲା । ଉକ୍ତ ବିବାଦ ଶାନ୍ତ ପଡ଼ିନଥିବା ବେଳେ ପୁଣି ଥରେ ଦୁଇ ଦେଶ ମୁହାଁମୁହିଁ ହେବାକୁ ଯାଉଛନ୍ତି ।
ଆସନ୍ତା ୨୧ ତାରିଖରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଦୁଇ ଟିମ୍ ପୁଣି ଥରେ ମୁହାଁମୁହିଁ ହେବେ । ଗ୍ରୁପ ଷ୍ଟେଜରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ ଖେଳି ଦୁଇଟିରେ ବିଜୟୀ ହୋଇ ଟପରେ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ୩ଟି ମ୍ୟାଚରୁ ୨ଟିରେ ଜିତି ଦ୍ବିତୀୟ ସ୍ଥାନରେ ରହିଛି । ୟୁଏଇ ୩ଟି ମ୍ୟାଚରେ ୧ଟିରେ ଜିତି ନିଜର ଅଭିଯାନ ସମାପ୍ତ କରିଛି । ଓମାନ ଭାରତ ବିପକ୍ଷରେ ନିଜର ଅନ୍ତିମ ମ୍ୟାଚ ଖେଳିବାକୁ ଥିବାବେଳେ ସୁପର-୪ ରେସ ପୂର୍ବରୁ ହିଁ ବିଦାୟ ନେଇଛି । ପ୍ରଥମ ଦୁଇଟି ମ୍ୟାଚରେ ଓମାନକୁ ପରାଜୟବରଣ କରିବାକୁ ପଡ଼ିଛି ।