କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣା, ନିଲମ୍ବିତ ହେଲା କିଲର ଦୀପକ ରାଉତ

1 min read

ନନ୍ଦିଘୋଷ ବ୍ୟୁରୋ : କମିଶନରେଟ ପୋଲିସର କ୍ରାଇମ୍ ମାଷ୍ଟର ଗୋଗୋ । ଟଙ୍କା ପାଇଁ ପାଲଟିଥିଲା ସିରିଏଲ କିଲର୍ । ଦଗାଦିଆ ଦୀପକକୁ ସସପେଣ୍ଡ କଲେ ଡିସିପି । ରିଓପନ ହେବ ପ୍ରଥମ ସ୍ତ୍ରୀଙ୍କ ମର୍ଡର କେସ୍ । କନଷ୍ଟେବଳ ଶୁଭମିତ୍ରା ହତ୍ୟା ଅଭିଯୁକ୍ତ ଦୀପକ ରାଉତ ପୂର୍ବରୁ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ପ୍ରେମ ବିବାହ କରିଥିଲା । ଅପର୍ଣ୍ଣା ଢେଙ୍କାନାଳ ପରଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ବ ନିରୀକ୍ଷକ ଭାବେ ଚାକିରି କରୁଥିଲେ । ୨୦୨୨ ମାର୍ଚ୍ଚ ୧୭ରେ ରାସ୍ତା ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା କହିଥିଲା ଦୀପକ । ଭୁବନେଶ୍ୱରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ଦୀପକ ଏକ କାହାଣୀ ରଚିଥିବା ଏବେ ଅପର୍ଣ୍ଣାଙ୍କ ପରିବାର ଅଭିଯୋଗ କରିଛନ୍ତି । OD-02-S 3486 ନମ୍ବର ଟ୍ରକ ତାଙ୍କୁ ଧକ୍କା ଦେଇଥିବା କହିବା ପରେ ଖୁଣ୍ଟୁଣି ଥାନାରେ କେସ ନମ୍ବର ୭୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଦୀପକ ପ୍ରି ପ୍ଲାନ କରି ହତ୍ୟା କରି ଏହାକୁ ଦୁର୍ଘଟଣାର ରୂପ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯେଉଁ ବାବଦରେ ଦୀପକ କୋଟିଏ ଟଙ୍କା ଇନସ୍ୟୁରାନ୍ସ ପାଇଥିଲା । ତେଣୁ ଏହି ଘଟଣାର ବି ତଦନ୍ତ ହେବା ଦରକାର ବୋଲି ସେମାନେ ଦାବି କରିଛନ୍ତି ।

ହତ୍ୟା କରିବା ପରେ ପ୍ରାୟ ୧ ଘଣ୍ଟା ୧୫ ମିନିଟ ଧରି ପୋଲିସ ସେବା ଭବନ ପାର୍କିଂରେ ପାର୍କ ହୋଇଥିଲା ଏହି କାର । ସିସିଟିଭି, ବନ୍ଧୁକଧାରୀ ସୁରକ୍ଷାକର୍ମୀ, ସମସ୍ତେ ଥିବା ସତ୍ୱେ କେହି ମଧ୍ୟ ଏସବୁର ଟେର୍ ପାଇ ନଥିଲେ । ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ । ଜାମିନ ନାମଞ୍ଜୁର ହେବା ପରେ ଦୀପକ ଓ ଅନ୍ୟ ଦୁଇ ସହଯୋଗୀଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଖାକି ବର୍ଦ୍ଦିର ଫାଇଦା ଉଠାଇ ମଣିଷ ପରେ ମଣିଷ ମାରିବାକୁ ପଛାଉନଥିବା ଦୀପକକୁ ନିଲମ୍ବିତ କରାଯାଇଛି । ବ୍ଲାକମାର୍କ ସହ ଖୁବଶୀଘ୍ର ବହିଷ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ପୋଲିସ କମିଶନର । ସେପଟେ ଶୁଭମିତ୍ରାଙ୍କ ମୃତଦେହ କେନ୍ଦୁଝର ହସ୍ପିଟାଲରେ ବ୍ୟବଚ୍ଛେଦ ହେବା ପରେ ପୁରୀରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି । କିନ୍ତୁ ଏଭଳି ବିଭତ୍ସ, ଲୋମହର୍ଷଣକାରୀ କାଣ୍ଡକୁ ସହଜରେ ହଜମ କରିପାରି ନାହାନ୍ତି ପରିବାର ଲୋକେ । ଯଦି ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁଟି ମର୍ଡର କେସ ଭାବେ ରିଓପନ ହୁଏ, ତେବେ ଅନେକ ଲୋକଙ୍କ ସମ୍ପୃକ୍ତି ପଦାକୁ ଆସିପାରେ । ଖାକି ବର୍ଦ୍ଦି ଆଢୁଆଳରେ କ୍ରାଇମ ମାଷ୍ଟର ଗୋଗୋ ପାଲଟିଥିବା ଦୀପକକୁ ସୁରକ୍ଷା ଦେଇଥିବା ବଡ଼ ବାବୁଙ୍କ ମଧ୍ୟ ବଢ଼ିପାରେ ଅଡ଼ୁଆ ।