ନ୍ୟାୟ ଦାବିରେ ୧୦ କିଲୋମିଟର ଚାଲିଲେ ମାଆ

ଅନୁଗୁଳ : ଝିଅକୁ ନ୍ୟାୟ ଦାବିରେ ୧୦ କିଲୋମିଟର ଚାଲିଲେ ମାଆ । ପାଦରେ ଚାଲି ଚାଲି ଯାଇ ଏସପିଙ୍କ ଅଫିସ ଆଗରେ ଧାରଣା ଦେଲେ ଶତାଧିକ ମହିଳା ।  ଅନୁଗୋଳ ସଦର ଥାନା ଶ୍ୟାମସୁନ୍ଦରପୁର ଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସର ହାତ ଖାଲି । ଏଯାଏଁ ଅଭିଯୁକ୍ତର ଟେର ପାଉନି ପୋଲିସ । ଗତ ୭ ତାରିଖରେ ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ । ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ନେଇ ତଦନ୍ତ କରିଥିଲା । ଖୋଦ ଏସପି ରାହୁଲ ଜୈନ ଘଟଣା ସ୍ଥଳକୁ ଯାଇ ତଦାରଖ କରିବା ସହ ଅଭିଯୁକ୍ତକୁ ୧୦ ଦିନ ଭିତରେ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହା ଭିତରେ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲି। ଯେଉଁଥିପାଇଁ ଆନ୍ଦୋଳନକୁ ଓହ୍ଲାଇଥିଲେ ଗାଁର ମହିଳା । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନକାରୀ ।