ରାଜ୍ୟରେ ଚାଷୀଙ୍କୁ ମିଳୁନି ସାର, କଳାବଜାରୀ ଚାଲିଥିବା ସ୍ଵୀକାର କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର : ସାର ସତ ମାନିଲେ ସରକାର। ରାଜ୍ୟରେ ଚାଲିଛି ସାରର କଳାବଜାରୀ। ଡିଲର ଓ ବ୍ଯବସାୟୀ ମଧୁଚନ୍ଦ୍ରିକାରେ ହନ୍ତସନ୍ତ ଚାଷୀ। ଗତ ମାସେ ହେଲା ଚାଷୀ ପାଉନାହାଁନ୍ତି ସାର। ସାର ପାଇଁ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଲାଗୁଛି ଲମ୍ବା ଲାଇନ। କେଉଁଠି ରାତି ଅଧରୁ ଅଧାର କାର୍ଡ ରଖି ଚାଷୀ ଲାଇନ ଲଗାଉଛନ୍ତି ତ କେଉଁଠି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ବାରମ୍ବାର କୃଷିମନ୍ତ୍ରୀ ରାଜ୍ଯରେ ସାରର ଅଭାବ ନାହିଁ ବୋଲି କହୁଥିବାବେଳେ  ଯୋଗାଣ ମନ୍ତ୍ରୀ ଖୋଲିଦେଇଛନ୍ତି ପୋଲ। ସାର କଳାବଜାରୀ ସମସ୍ଯାର ସମାଧାନ ପାଇଁ ଏବେ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି।ଜାଣି ଶୁଣି କିଛି ଲୋକ କଳବଜାରୀ କରୁଥିବା ଅଭିଯୋଗ କରିଛନ୍ତି। ରାଜ୍ୟରେ ଆବଶ୍ୟକ ପରିମାଣର ସାର ଅଛି।ଖୁବ ଶୀଘ୍ର ସାର ସମସ୍ୟାର ସମାଧାନ ହେବ। କିନ୍ତୁ କଳାବଜାରୀ କାରଣରୁ ଅନେକ ସମସ୍ୟା ଉପୁଜିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅନେକ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସରକାର କହିଛନ୍ତି ।

ଚାଷରେ ଆତ୍ମନିର୍ଭରଶୀଳ ରାଜ୍ଯର ଚାଷୀଙ୍କୁ ସାର ନମିଳିବା ଉଭୟ କୃଷି, ସମବାୟ ଓ ଯୋଗାଣ ବିଭାଗର ଅପାରଗତାକୁ ପଦାକୁ ଆଣିଛି। ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ରହୁନଥିବାରୁ ରାଜ୍ୟରେ ସାରର ଘୋର ଅଭାବ ଦେଖାଦେଇଛି। ଯାହାର ପ୍ରତିବାଦ କରି ଗତ ୧୫ ତାରିଖରେ ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟପାଳଙ୍କ ଦ୍ବାରସ୍ତ ହୋଇଥିଲା ବିଜେଡି।ଚାଷୀ ସାର ନପାଇବା ପର୍ଯ୍ୟନ୍ତ ବିଜେଡି ଲଢେଇ ଜାରି ରଖିବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଥିଲେ। ସାର କଳାବଜାରୀ ଯୋଗାଣ ମନ୍ତ୍ରୀ ମାନିବା ପରେ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେଡି। କଳାବଜାରୀଙ୍କ ଉପରେ କାର୍ଯାନୁଷ୍ଠାନ ଦାବି କରଛି ବିଜେଡି।ଆବଶ୍ଯକ ପରିମାଣର ସାର ଥିଲେ ବି ଯୋଗାଣ ବିଭାଗର କିଛି ଅସାଧୁ ଅଧିକାରୀ ଛତ୍ରଛାୟାରେ କିଛି ଡିଲର ଓ ବ୍ଯବସାୟୀ କଳାବଜାରୀ କରୁଛନ୍ତି।ଯୋଗାଣ ବିଭାଗର ଅଧିକାରୀ ସବୁ ଜାଣି ମଧ୍ଯ ଚୁପ ରହୁଛନ୍ତି । ବିଧାନସଭାରେ ସାର ଅଭାବକୁ ନେଇ ସରକାରଙ୍କୁ ଜବାବ ମାଗିବାକୁ ବିଜେଡି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି। ଆଗକୁ ଚାଷୀଙ୍କ ପାଇଁ ବିଜେଡିର ସ୍ବର ଅଧିକ ଶାଣିତ ହେବ ବୋଲି ଦଳୀୟ ବିଧାୟକ ଚେତାବନୀ ଦେଇଛନ୍ତି। ସାର କଳାବାଜରୀ ସତ ମାନିଲା ପରେ କେବେ ସୁଧରିବ ସ୍ଥିତି, ଆଉ ଚାଷୀଙ୍କ ନିକଟରେ ପହଞ୍ଚିବ ସାର ।