ଦୁର୍ଘଟଣାରେ ବାପ-ପୁଅ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ

ଏମ ରାମପୁର : ବାଇକ୍ ଓ ପିକଅପ ଭ୍ୟାନ୍ ମୁହାଁମୁହିଁ ଧକ୍କା, ବାପ ପୁଅ ମୃତ । କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ । କଳାହାଣ୍ଡି ଜିଲ୍ଲା ନର୍ଲା ନିକଟସ୍ଥ ଦେହେଲି ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ବାଇକ୍ ରେ ବସିଥିବା ଗୋଟିଏ ପରିବାରର ବାପା ଓ ପୁଅ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ମାଆ ଓ ଝିଅ ଗୁରୁତର ଆହତ ହୋଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ନର୍ଲା ବ୍ଳକର ତେରଲୋ ଗାଁର ବୁଧ ବାରିକ , ସ୍ତ୍ରୀ, ପୁଅ ଝିଅ ମିଶି ଏକ ବାଇକରେ ନର୍ଲା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବାପା ବୁଧ ଓ ପୁଅ ଆରବର ମୃତ୍ୟୁ ଘଟିଛି ।  ମାଆ ଓ ଝିଅ ଗୁରୁତର ଆହତ ହୋଇଛନ୍ତି । ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦେହେଲି ଗାଁ ଛକଠାରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ବୁଝାସୁଝା କରୁଛି।