ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହେଲା ଗୁପ୍ତ ଗୁଣ୍ଡିଚା
1 min read
ପୁରୀ : ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା । ଲକ୍ଷ୍ମୀ ସ୍ବରୂପା ମାଆ ଦୁର୍ଗାଙ୍କୁ ନେଇ ୮ ଦିନ ପାଇଁ ଯାତ୍ରା କଲେ ଶ୍ରୀଜଗନ୍ନାଥ । ନିଳାଦ୍ରୀ ବିଜେ ଦିନ ଅଭିମାନିନୀ ଲକ୍ଷ୍ମୀଙ୍କ ପ୍ରତିଶ୍ରୁତି ଦେଇଥିଲେ ଜଗତ ନାଥ । ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ୮ ଦିନ ଦୁର୍ଗା ମାଧବ ଶ୍ରୀମନ୍ଦିର ପରିସରରେ ଥିବା ମାଆ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ ଦିନ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମହାଲକ୍ଷ୍ମୀ ସ୍ଵରୁପା ମାଆ ଦୁର୍ଗାଙ୍କୁ ନେଇ ବିଜେ କରିବାର ପରମ୍ପରା ରହିଛି । ଲୋକକଥା ଅନୁସାରେ ମାଆ ଲକ୍ଷ୍ମୀଙ୍କୁ ରଥଯାତ୍ରା ନେଇନଥିବାରୁ ନୀଳାଦ୍ରିବିଜେ ଦିନ ଗୁପ୍ତଗୁଣ୍ଡିଚାରେ ନେବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ । ସେହି ପ୍ରତିଶୃତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷାକରି ଆରମ୍ଭ ହୋଇଛି ଏହି ଯାତ୍ରା ।
ସକାଳ ଧୂପ ନୀତି ପରେ ଦୁର୍ଗାମାଧବଙ୍କୁ ସ୍ୱତନ୍ତ୍ର ବିମାନରେ ବିଜେ କରାଯାଇଥିଲା । ଘଣ୍ଟ ଛତା ବିଜେ କାହାଳି ଭିତରେ ଶ୍ରୀମନ୍ଦିରରୁ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରାଯାଇଥିଲା l ସ୍ୱତନ୍ତ୍ର ଉପଚାରରେ ପୂଜାର୍ଚ୍ଚନା ପରେ ନାରାୟଣୀ ମନ୍ଦିରରେ ଦୁର୍ଗା ମାଧବ ଅବସ୍ଥାନ କରିଥିଲେ । ସ୍ୱତନ୍ତ୍ର ଭାବେ ଏଠାରେ ତାଙ୍କୁ ମାଣ୍ଡୁଆ ଓ ଖଇକୋରା ଭୋଗ ଲାଗି କରାଯିବାର ବିଧି ରହିଥିବା ବେଳେ ଏହି ନିଆରା ପରମ୍ପରାକୁ ଦର୍ଶନ କରି ଭକ୍ତ ମାନେ ବିଭୋର ହୋଇଥିଲେ। ଶ୍ରୀମନ୍ଦିରରେ ଚନ୍ଦନଲାଗି ନୀତି ବଢିବା ପରେ ନାରାୟଣୀ ମନ୍ଦିରରୁ ଦୁର୍ଗାମାଧବ ଶ୍ରୀମନ୍ଦିରକୁ ପାଲିଙ୍କିରେ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।