ପାର୍ବଣ ପାଇଁ ଉତ୍ସବ ମୁଖର ଗାଁଠୁ ସହର

ନନ୍ଦିଘୋଷ ବ୍ୟୁରୋ: ପାର୍ବଣ ପାଇଁ ଉତ୍ସବ ମୁଖର ଗାଁଠୁ ସହର । ଚାଲିଛି ମାଙ୍କ ନବରାତ୍ରୀ ପୂଜା । ବିଭିନ୍ନ ଶକ୍ତି ପୀଠ ଠାରୁ ଆରମ୍ଭ କରି ପୂଜା ମଣ୍ଡପରେ ମା’ଙ୍କ ହେଉଛି ସ୍ବତନ୍ତ୍ର ପୂଜାନୀତି। ବିଭିନ୍ନ ଶକ୍ତି ପୀଠରେ ମାଁଙ୍କ ଆରାଧନା କରାଯାଉଛି । ସେହିଭଳି ଏକ ପୀଠ ହେଉଛି ପାରଳାଖେମୁଣ୍ଡିର ଦାଣ୍ଡୁମାଳା ମନ୍ଦିର । ଏହି ପୀଠ ବର୍ଷରେ ମାତ୍ର ୯ ଦିନ ପାଇଁ ଖୋଲା ଯାଇଥାଏ । ମାଁଙ୍କ ନିକଟରେ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି।
ପାରଳାଖେମୁଣ୍ଡି ଦାଣ୍ଡୁମାଳା ମା ଠାକୁରାଣୀଙ୍କ ପୀଠ । ରହିଛି ସ୍ବତନ୍ତ୍ରତା । ବର୍ଷ ସାରା ମନ୍ଦିର ବନ୍ଦ ରହୁଥିବା ବେଳେ ଦଶହରାରେ ୯ ଦିନ ପୂଜାର୍ଚ୍ଚନା କରାଯାଇଥାଏ। ଦଶହରା ବିଳମ୍ବିତ ରାତିରେ ଘଟ ଯାତ୍ରାରେ ଆଣି ମାଁଙ୍କ ପୀଠରେ ଏକ ନଡିଆକୁ ଘଟରେ ରଖି ପୁଣି ବନ୍ଦ କରିଦିଆଯାଏ । ବର୍ଷେ ପରେ ଏହି ନଡ଼ିଆକୁ ଭୋଗରେ ଲାଗି କରାଯାଇଥାଏ । ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲି ଆସିଥିବା ବେଳେ ମାଁ ଙ୍କ ମହିମାରୁ କୌଣସି ବର୍ଷ ନଡ଼ିଆ ଖରାପ ହୋଇ ନଥାଏ ବୋଲି ବିଶ୍ବାସ ରହିଛି। ଏହି ସମୟରେ ମାଙ୍କ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂରଣ ହେଉଥିବା ବିଶ୍ବାସ ରହିଛି।
ପୀଠକୁ ନେଇ ଅନେକ କିମ୍ବଦନ୍ତୀ ରହିଛି। ପଣ୍ଡିତଙ୍କ କହିବା ଅନୁସାରେ, ଦାଣ୍ଡୁମାଳା ହେଉଛନ୍ତି ୬୪ଯୋଗିନୀଙ୍କ ପ୍ରତିନିଧି । ନବରାତ୍ରରେ ତାଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପୂଜା ହେଉଥିଲା । ତାଙ୍କୁ ନିମନ୍ତ୍ରଣ କରି ଆଣିବା ବେଳେ ବିଭିନ୍ନ ପ୍ରକାର ବଳି ପ୍ରଦାନ କରାଯାଉଥିଲା । ତାଙ୍କ ସହ ଆସୁଥିବା ୬୪ ଯୋଗିନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ସ୍ଥାନରେ ପୂଜାର୍ଚ୍ଚନା କରାଯାଉଥିଲା । ତାଙ୍କ ପ୍ରତିନିଧି ଭାବେ ଏହି ସ୍ଥାନରେ ଦାଣ୍ଡୁମାଳାଙ୍କୁ ରଖାଯାଇଥିଲା ।