କାମ ଦେଲାନି ଆୟୁଷ୍ମାନ କାର୍ଡ, ଅଧା ଚିକିତ୍ସାରୁ ଘରକୁ ଫେରିଲେ ରୋଗୀ

ଋାୟଗଡା : କାମ ଦେଲାନି ଆୟୁଷ୍ମାନ କାର୍ଡ । ଡିସ୍ଚାର୍ଜ କଲେନି ମେଡିକାଲ କର୍ତ୍ତୃପକ୍ଷ । ଶେଷରେ ନିଜ କଷ୍ଟ ଅର୍ଜିତ ସମ୍ପତ୍ତିକୁ ବିକ୍ରିକରି ମେଡିକାଲ ବିଲ୍ ପୈଠ କଲେ। ଆଉ ଅଧା ଚିକିତ୍ସାରୁ ନିଜ ଘରକୁ ଫେରିଲେ କିଡନୀ ଆକ୍ରାନ୍ତ ରୋଗୀ । ଏ ହେଉଛନ୍ତି ରାୟଗଡାର ୪୭ ବର୍ଷୀୟ ବୃନ୍ଦାବନ ରାଉଲା । କିଡନୀ ରୋଗରେ ଆକ୍ରାନ୍ତ । ଅସୁସ୍ଥ ହେବାରୁ ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ କିଡନୀ ରୋଗ ହୋଇଥିବା ଜଣାପଡିଥିଲା । ଅଧିକ ଚିକିତ୍ସା ପାଇଁ ଆନ୍ଧ୍ରକୁ ଚାଲିଯାଇଥିଲେ । ପାଖରେ ପଇସା ନଥିଲେ ମଧ୍ୟ ଆୟୁଷ୍ମାନ କାର୍ଡ ଥିବାରୁ ମେଡିକାଲରେ ଭର୍ତ୍ତି ହେଲେ । ବିଶାଖାପାଟଣାର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ । ଚିକିତ୍ସା ବାବଦକୁ ୩ ଲକ୍ଷ ଟଙ୍କା ଅର୍ଥ ପୈଠ କରିବାକୁ ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ସେ ନିଜର ଆୟୁଷ୍ମାନ କାର୍ଡ ପ୍ରଦାନ କରିବାରୁ ଏହା କାମ ଦେବନି ବୋଲି କହିଥିଲେ । ବୃନ୍ଦାବନଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଅର୍ଥ ପୈଠ ନକରିବାରୁ ବୃନ୍ଦାବନଙ୍କୁ ଛାଡିଲେନି ମେଡିକାଲ କର୍ତ୍ତୃପକ୍ଷ । ଶେଷରେ କଷ୍ଟ ଉପାର୍ଜିତ କିଛି ସୁନା ଓ ଜମି ବିକି ଟଙ୍କା ପୈଠ କରି ଅଧା ଚିକିତ୍ସାରୁ ଘରକୁ ଫେରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି କାହା ପାଇଁ ଆୟୁଷ୍ମାନ କାର୍ଡ? ଆବଶ୍ୟକ ବେଳେ ଆୟୁଷ୍ମାନ କାର୍ଡ ଯଦି କାମ ଦେବନି ତେବେ କାହିଁକି ଏ ପ୍ରହସନ ?
ରାୟଗଡା ସଦର ଡାଙ୍ଗଲୋଡି ପଚାଂୟତ ଅନ୍ତର୍ଗତ ଡାଙ୍ଗଲୋଡି ଗ୍ରାମ । ଡାଙ୍ଗଲୋଡି ଗ୍ରାମର ଆଦିବାସୀ ସାହିରେ ନିଜ ପରିବାର ସହ ବାସ କରନ୍ତି ବୃନ୍ଦାବନ ରାଉଲା । ପରିବାର କହିଲେ ସ୍ତ୍ରୀ, ଦୁଇ ଝିଅଙ୍କ ସହିତ ସାନ ପୁଅ । ଦୁଇ ଝିଅ ଓ ପୁଅ ପାଠ ପଢୁଛନ୍ତି । ବୃନ୍ଦାବନ ଜଣେ ରାଜମିସ୍ତ୍ରୀ । ସେ ରାଜମିସ୍ତ୍ରୀ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି । ଗତ ୫ ମାସ ତଳେ କିଡନୀ ରୋଗରେ ଆକାନ୍ତ ହେବା ପରେ ସେ ଆଉ ଚାଲି ବୁଲି ପାରୁନଥିବା ବେଳେ କାମକୁ ନଯାଇ ଘରେ ରହୁଛନ୍ତି । ହେଲେ ଆଗକୁ କରିବେ କଣ ? ଚିକିତ୍ସିତ ହେବେ କେମିତି ? ପିଲା ପାଠ କେମିତି ପଢିବେ ? ସେହି ଚିନ୍ତାରେ ଏବେ ବୃନ୍ଦାବନ । ରାଜ୍ୟ ସରକାରଙ୍କ ଆୟୁଷ୍ମାନ କାର୍ଡ କାମ ନକରିବା ସୀମାନ୍ତ ଅଚଂଳବାସୀ ଆଦିବାସୀ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସରକାର ତୁରନ୍ତ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ ହୋଇପଡିଛି।