ସୁଧୁରୁଛି କଟକର ପରିସ୍ଥିତି, ଆଜି ସଂଧ୍ୟା ୭ ଯାଏଁ ଇଣ୍ଟରନେଟ୍ ବନ୍ଦ

କଟକ : ଧୀରେ ଧୀରେ ସୁଧୁରୁଛି କଟକର ପରିସ୍ଥିତି। ଗତକାଲିଠାରୁ ଆଉ କୌଣସି ନୂଆ ଗଣ୍ଡଗୋଳ ହୋଇ ନାହିଁ। ତଥାପି ପରିସ୍ଥିତି ଉପରେ କଡ଼ା ନଜର ରଖିଛି ପ୍ରଶାସନ। ବରିଷ୍ଠ ପୋଲିସ ଅଧିକାରୀ କ୍ୟାମ୍ପ କରି ସେଠାରେ ରହିଛନ୍ତି ଓ ପରିସ୍ଥିତି ଉପରେ ରଖିଛନ୍ତି ତୀକ୍ଷଣ ନଜର। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସବୁ ସ୍ତରରେ ଉଦ୍ୟମ ଚାଲିଛି। ସେପଟେ ଇଣ୍ଟରନେଟ ଓ ସୋସିଆଲ ମିଡିଆ କଟକଣା ଆଜି ସଂଧ୍ୟା ୭ ଯାଏ ରହିବ। ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କୌଣସି ପ୍ରକାର ଗୁଜବକୁ ସୁଯୋଗ ନ ଦେବାକୁ ଏହି ନିଷ୍ପତ୍ତି ନିଆଯାଇଛି। କଟକ ମହାନଗର ନିଗମ ଅଞ୍ଚଳ, ସିଡ଼ିଏ ଅଞ୍ଚଳ ଓ ବୟାଳିଶି ମୌଜା ଅଞ୍ଚଳରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି । ସେପଟେ କର୍ଫ୍ୟୁ ନେଇ ଆଜି ନିଷ୍ପତ୍ତି ନିଆଯିବ। ଜିଲ୍ଲା ପ୍ରଶାସନର ବୈଠକ ବସି ଏହି ନିଷ୍ପତ୍ତି ନିଆଯିବ। ଆଜି ସକାଳ ୧୦ ଟା ଯାଏ କର୍ଫ୍ୟୁ ଲଗାଯାଇଛି।