କୋଲଡ୍ରିପ୍ କଫ୍ ସିରପର ସାଂଘାତିକ ସତ ! ଫ୍ୟାକଟ୍ରିରେ ୩୫୦ରୁ ଅଧିକ ନିୟମ ଉଲ୍ଲଂଘନ..

ନନ୍ଦିଘୋଷ ବ୍ୟୁରୋ : ଅତ୍ୟନ୍ତ ଅସନା ପରିବେଶରେ ତିଆରି ହେଉଥିଲା ଔଷଧ, ଫ୍ୟାକଟ୍ରିର ସବୁ ଯନ୍ତ୍ରପାତିରେ ଲାଗି ଗଲାଣି କଳଙ୍କି, ଏୟାର ଫିଲଟର ବି କାମ କରୁନି, ଏପରିକି ଔଷଧ ପ୍ରସ୍ତୁତିରେ ଯେଉଁ ମାନର ରାସାୟନିକ ପଦାର୍ଥ ବ୍ୟବହାର ହେବା କଥା, ସେମିତି ସାମଗ୍ରୀ ବ୍ୟବହାର କରାଯାଇନାହିଁ। ଏମିତି ଗୋଟିଏ ଦୁଇଟି ନୁହେଁ, ପୁରା ୩୫୦ଟି ନିୟମର ଉଲ୍ଲଂଘନ କରିଛି କୋଲଡ୍ରିପ୍ କଫ୍ ସିରପ୍ ପ୍ରସ୍ତୁତ କରୁଥିବା କମ୍ପାନି ଶ୍ରେସାନ ଫାର୍ମାସ୍ୟୁଟିକାଲସ। ଏପରି ସାଂଘାତିକ ତଥ୍ୟ ଆସିଛି ତଦନ୍ତରୁ। ତାମିଲନାଡୁର କାଞ୍ଚିପୁରମରେ ଅଛି ଏହାର ଫ୍ୟାକଟ୍ରି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଅନେକ ଶିଶୁ କୋଲଡ୍ରିପ୍ କଫ୍ ସିରଫ ବ୍ୟବହାର କରି ମୃତ୍ୟୁମୁଖରେ ପଡ଼ିବା ପରେ ତାମିଲନାଡୁ ସରକାରଙ୍କ ଏକ ଟିମ୍ ଫ୍ୟାକଟ୍ରି ପରିଦର୍ଶନ କରି ତଦନ୍ତ କରିଛନ୍ତି। ସେଥିରୁ ଜଣାପଡ଼ିଛି କମ୍ପାନି ପକ୍ଷରୁ ବ୍ୟାପକ ନିୟମ ଉଲ୍ଲଂଘନ ହୋଇଛି। ମୋଟ ୩୫୦ ଟି ନିୟମର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ଔଷଧ କେମିତି ପ୍ରସ୍ତୁତ ହେଉଛି, ତାହା ତଦାରଖ ରଖିବାକୁ ମଧ୍ୟ କେହି ନାହାନ୍ତି। ପୁରା ପ୍ଲାଣ୍ଟ ର ଲେଆଉଟ ଡିଜାଇନ୍ ଭୁଲ। ଔଷଧର ବ୍ୟାଚ ଯାଞ୍ଚ କରିବାକୁ କିମ୍ଵା କ୍ଵାଲିଟି ଯାଞ୍ଚ କରିବାକୁ, ମାନ ଠିକ୍ ନ ଥିଲେ ତାହା ଫେରସ୍ତ କରିବାକୁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ଏହି କମ୍ପାନି ୫୦ କେଜି ପ୍ରୋପିଲିନ୍ ଗ୍ଲାଏକଲ୍ କିଣିଛି ବିନା ବିଲରେ। ଏଥିରୁ ଜଣାପଡ଼ିଛି ବେଆଇନ ଭାବେ ଏହା କିଣାଯାଇଛି। ଅତ୍ୟନ୍ତ ବିଷାକ୍ତ ପଦାର୍ଥ ଡାଇଥିଲିନ୍ ଗ୍ଲାଏକଲ୍ ମଧ୍ୟ ମିଳିଛି। ଔଷଧ ପ୍ରସ୍ତୁତିରେ ଏହା ବିଲକୁଲ ବ୍ୟବହାର ହେବା କଥା ନୁହେଁ। କିନ୍ତୁ ସ୍ରେସାନ ଫାର୍ମାସିଟ୍ୟୁକାଲସ ପକ୍ଷରୁ ଏହା ବ୍ୟବହାର କରାଯାଉଥିବା ଜଣାପଡ଼ିଛି। କୋଲଡ୍ରିପ୍ ସେବନ କରି ମଧ୍ୟପ୍ରଦେଶରେ ୧୪ ଓ ରାଜସ୍ଥାନରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଥିଲା। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ବି ହୋଇଥିଲା। କୋଲଡ୍ରିପ୍ ସେବନ କରି ଶିଶୁଙ୍କ ମୃତ୍ୟୁ ଖବର ପରେ ତାମିଲନାଡୁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏହି ଔଷଧକୁ ବ୍ୟାନ କରିବା ସହିତ ମାର୍କେଟରେ ଥିବା ସମସ୍ତ ଏହି ଔଷଧକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କର୍ତ୍ତୃପକ୍ଷଙ୍କୁ ନୋଟିସ ଦିଆଯାଇଛି। ଉତ୍ତର ନ ଆସିବା ପର୍ଯ୍ୟନ୍ତ ଫ୍ୟାକଟ୍ରି ବନ୍ଦ ରହିବ। ପ୍ରାୟ ୧୧ଟି ରାଜ୍ୟ ଏହି ଔଷଧକୁ ବ୍ୟାନ କରିଛନ୍ତି।