ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ : ହମଲାରେ ୩ କ୍ରିକେଟର ମୃତ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଏବଂ ଆଫଗାନିସ୍ତାନ ଉତ୍ତେଜନା ଧମିବାର ନାଁ ଧରୁନି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ପାକଟିକା ପ୍ରଦେଶରେ ଏକ ବଡ ଏୟାର ଷ୍ଟ୍ରାଇକ୍ କରିଛି । ଏହି ବିମାନ ଆକ୍ରମଣରେ ତିନି ଜଣ ଆଫଗାନ୍ କ୍ରିକେଟରଙ୍କ ସହ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଛି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ବିବୃତ୍ତିରେ, ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଏହି ଘଟଣାକୁ ନିନ୍ଦା କରିବା ସହ “ପାକିସ୍ତାନ ଦ୍ୱାରା କରାଯାଇଥିବା ଏହା ଏକ କାପୁରୁଷ ଆକ୍ରମଣ” ବୋଲି କହିଛି।ଏହା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପାକିସ୍ତାନ ଏବଂ ଶ୍ରୀଲଙ୍କା ସହ ଆଗକୁ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ T20 ସିରିଜରୁ ଓହରି ଯିବାର ନିଷ୍ପତ୍ତି ଘୋଷଣା କରିଛି।
ଆଫଗାନିସ୍ତାନ କ୍ରିକେଟ ବୋର୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ ପାକିସ୍ତାନ ଦ୍ୱାରା ଏକ ଆକ୍ରମଣରେ ଟାର୍ଗେଟ ହୋଇଥିବା ଉର୍ଗୁନ୍ ଜିଲ୍ଲାର କ୍ରିକେଟର୍ କବିର, ସିବଘାତୁଲ୍ଲା ଏବଂ ହାରୁନଙ୍କ ମୃତ୍ୟୁ ପାଇଁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଗଭୀର ଶୋକ ପ୍ରକାଶ କରୁଛି। ଏହି ଖେଳାଳିମାନଙ୍କ ସହିତ ଆଉ ପାଞ୍ଚ ଜଣ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଥିଲେ, ଏଥିସହ ସାତ ଜଣ ଆହତ ହୋଇଥିଲେ। ଖେଳାଳିମାନେ ମ୍ୟାଚ ଖେଳିବା ପାଇଁ ଶାରନା ଯାଇଥିଲେ। ସେଠାରୁ ଉର୍ଗୁନ୍ ଫେରିବା ପରେ ସେମାନଙ୍କୁ ଟାର୍ଗେଟ କରାଯାଇଥିଲା।
ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏକ ତ୍ରିରାଷ୍ଟ୍ରୀୟ T20 ସିରିଜ୍ ରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ପାକିସ୍ତାନର ଏକ ମିଳିତ ସିରିଜ୍ ଖେଳିବାର ଥିଲା। ତ୍ରିରାଷ୍ଟ୍ରୀୟ T20 ସିରିଜ୍ ର ପ୍ରଥମ ଦୁଇଟି ମ୍ୟାଚ୍ ରାୱଲପିଣ୍ଡିରେ ଅନୁଷ୍ଠିତ ହେବାର ଥିଲା ଏବଂ ଫାଇନାଲ୍ ସମେତ ବାକି ମ୍ୟାଚ୍ ସବୁ ଲାହୋରରେ ଅନୁଷ୍ଠିତ ହେବାର ଥିଲା। ଆଫଗାନିସ୍ତାନ କ୍ରିକେଟ ଦଳର ଅଧିନାୟକ ରସିଦ ଖାନ ବିମାନ ଆକ୍ରମଣକୁ “ବର୍ବର” ବୋଲି କହିଛନ୍ତି।
ଅକ୍ଟୋବର ୧୧ ତାରିଖରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି, ଯେତେବେଳେ ଆଫଗାନ ସେନା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିଥିବା ରିପୋର୍ଟ ପରେ ସୀମାରେ ଭୟଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ଯୁଦ୍ଧ ତୀବ୍ର ରୂପ ନେବା ପରେ ଦୁଇ ଦେଶର ସହମତିରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ୪୮ ଘଣ୍ଟା ନ ପୂରୁଣୁ ପୁଣି ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଛି ପାକିସ୍ତାନ।