ବ୍ରିଜ ତଳକୁ ଖସିଲା ବାଇକ, ଚାଳକ ମୃତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ୨ଟି ସ୍ଥାନରେ ୩ଟି ବାଇକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦିଗପହଣ୍ଡି ଥାନା ମୌଲାଭଣଜା ବ୍ରିଜ ନିକଟରେ ସାଇଡ଼ ୱାଲକୁ ଧକ୍କା ଦେଇ ବ୍ରିଜ ତଳକୁ ଖସିଲା ବାଇକ । ପ୍ରାୟ ୩୦ ଫୁଟ ତଳକୁ ନଦୀକୁ ଖସିଯାଇଥିଲା ବାଇକ।ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି।  ମୃତକ ଧରମପୁର ଗାଁର ମିଥୁନ ଦୋରା ।  ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର। ବାଇକ ଜବତ କରି ତଦନ୍ତ କରୁଛି ପୋଲିସ।

ସେହିଭଳି ଦିଗପହଣ୍ଡି ଥାନା ସମ୍ମୁଖରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ତିନି ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ବାଇକ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି ।