ନୂଆପଡ଼ାରେ ବଢୁଛି ଭୋଟ ତାତି: ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାରାଥନ ପ୍ରଚାର, ଆଦିବାସୀ ସମାଜର ସମର୍ଥନ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଚୂଡାନ୍ତ ପ୍ରାର୍ଥିପତ୍ର ପରେ ନୂଆପଡାରେ ଜମୁଛି ପ୍ରଚାର । ତିନି ପ୍ରମୁଖ ଦଳ ଭୋଟରଙ୍କୁ ପ୍ରଭାବିତ କରିବାକୁ ନିଜ ନିଜର ରଣନୀତି କରୁଛନ୍ତି । ସବୁ ବର୍ଗର ଭୋଟଙ୍କୁ ନିଜ ସପକ୍ଷରେ ଟାଣିବାକୁ ଆଦିବାସୀ ସମ୍ମିଳନୀ ସହ ଘନଘନ ମିଶ୍ରଣ ପର୍ବ ବି ଅନୁଷ୍ଠିତ ହେଉଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ମାରାଥନ ପ୍ରଚାର କରିଛନ୍ତି । ସେପଟେ କଂଗ୍ରେସ ଆଣିଛି ସାଂଘାତିକ ଅଭିଯୋଗ । ବିଜେପି ପକ୍ଷରୁ ନୂଆପଡାରେ ମଧ୍ୟ ଭୋଟ ଚୋରି କରିବାକୁ ଚକ୍ରାନ୍ତ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ନୂଆପଡାର ନୂଆ ଭୋଟର ତାଲିକାକୁ ନେଇ ପ୍ରଶ୍ନ ଉଠାଇଛି ଦଳ ।
ନୂଆପଡାରେ ଚାଲିଛି ଘମାଘୋଟ ପ୍ରଚାର । ଭୋଟରଙ୍କୁ ପ୍ରଭାବିତ କରିବାକୁ ମାରାଥନ କାର୍ଯ୍ୟକ୍ରମ । ନୂଆପଡାରେ କଂଗ୍ରେସ ଆଣିଲା ଭୋଟ ଚୋରିର ଅଭିଯୋଗ । ସେପଟେ ନୂଆପଡା ପାଇଁ ହେଭିଓ୍ବେଟ ନେତାଙ୍କୁ ଦାୟିତ୍ବ ଦେଲା ବିଜେପି । ନୂଆପଡା ଉପନିର୍ବାଚନ ପାଇଁ ତିନି ଦଳ ପ୍ରଚାର ଜୋର ଧରିଛି । ଆଜି ଆଦିବାସୀ ସମାଜ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସମର୍ଥନ ଘୋଷଣା କରିଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ତଥା ବିଜେଡି ନେତା ଭାନୁ ପ୍ରତାପ ସିଂ ମାଝୀଙ୍କ ନେତୃତ୍ୱରେ ନୂଆପଡ଼ା ଟାନୱଟଠାରେ ଏକ ଆଦିବାସୀ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି । ଗୋଣ୍ଡ ସମାଜ, ଶବର ସମାଜ, ଭୁଞ୍ଜିଆ ସମାଜ, ବରିହା ସମାଜ ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରିବା ସହ ବିଜେଡିକୁ ସାମର୍ଥନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଦିବାସୀ, ପଛୁଆ ଓ ଦଳିତ ସମାଜର ୩୦୦ରୁ ଅଧିକ ସଦସ୍ୟ ଆଜି ବିଜେଡିରେ ମିଶିବା ସହ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛନ୍ତି ।
ନୂଆପଡାରେ ତିନି ଦଳର କ୍ୟାମ୍ପେନରେ ନିର୍ବାଚନ ମଣ୍ଡଳି ଦୁଲୁକୁଥିବା ବେଳେ କଂଗ୍ରେସ ଆଣିଛି ବଡ ଅଭିଯୋଗ । ଉପନିର୍ବାଚନ ପାଇଁ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ୫୦୦୦ ହଜାର ଭୋଟର ଅଧିକ ବଢ଼େଇ ଦିଆଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ସଂଶୋଧନରେ ଶେଷ ମୁହୂର୍ତ୍ତରେ ଏତେ ସଂଖ୍ୟାରେ ବଢେ ନାହିଁ । ଏଥିରେ ୨୦୦୦ ଅଧିକ ପୁରୁଷ ଓ ୩୦୦୦ ମହିଳାଙ୍କୁ ଯୋଡ଼ାଯାଇଛି । ପୁରୁଷ ଭୋଟର ସଂଖ୍ୟା ଏକ ଲକ୍ଷ ୨୨ ହଜାରରୁ ଏକ ଲକ୍ଷ ୨୪ ହଜାର ହୋଇଥିବା ବେଳେ ମହିଳା ଭୋଟର ସଂଖ୍ୟା ଏକ ଲକ୍ଷ ୨୬ ହଜାରରୁ ଏକ ଲକ୍ଷ ୨୯ ହଜାର ହୋଇଛି । ନୂଆ ଭୋଟରମାନେ କିଏ ତା’ର ଯାଞ୍ଚ ହେବାର ଆବଶ୍ୟକତା ଅଛି ବୋଲି କଂଗ୍ରେସ ଦାବି କରିଛି । ସେପଟେ ବିଜେପି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ନୂଆପଡା ଦାୟିତ୍ବ ଦେଇଛି ।
ସେହିପରି ନୂଆପଡ଼ା ଉପନିର୍ବାଚନ ପାଇଁ ଆଉ ୧୩ ନେତାଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡ଼ା ବ୍ଲକ ପାଇଁ ୭ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ କୋମନା ବ୍ଲକ ଦାୟିତ୍ୱରେ ରହିବେ ୩ ବରିଷ୍ଠ ନେତା ଓ ଖରିଆର ରୋଡ ଏନଏସି ଦାୟିତ୍ୱରେ ୩ ନେତା । ନୂଆପଡ଼ା ବ୍ଲକ ପାଇଁ ରହିବେ ସୁଧୀର ସାମଲ, ଶ୍ରୀକାନ୍ତ ସାହୁ, ମୁକେଶ ପାଲ, ପ୍ରଦୀପ ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମନ୍ମଥ ରାଉତରାୟ, ଦେବାଶିଷ ମାର୍ଣ୍ଣି । କୋମନା ବ୍ଲକ ଦାୟିତ୍ବରେ ରହିବେ ପ୍ରଣବ ବଳବନ୍ତରାୟ, ସଂଜୀବ ମଲ୍ଲିକ, ମାଧବ ଧଡ଼ା । ସେହିପରି ଖରିଆର ରୋଡ ଏନଏସି ଦାୟିତ୍ବରେ ରହିବେ ଗଣେଶ୍ୱର ବେହେରା, ଅନନ୍ତ ଜେନା ଓ ରାଜେନ୍ଦ୍ର ସାହୁ । ଗତ ୧୬ ତାରିଖରେ ନୂଆପଡ଼ା ବ୍ଲକ ପାଇଁ ୧୮, ନୂଆପଡ଼ା ଏନଏସି ପାଇଁ ୮, କୋମନା ବ୍ଲକ ପାଇଁ ୧୮, ଖରିଆର ରୋଡ ଏନଏସି ପାଇଁ ୮ ଜଣଙ୍କୁ ଦାୟିତ୍ବ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେ ନୂଆପଡ଼ା ଏନଏସିକୁ ଛାଡି ୧୩ ଜଣଙ୍କୁ ଅତିରିକ୍ତ ଦାୟିତ୍ବ ଦେବା ପରେ ନୂଆପଡ଼ା ବ୍ଲକ ଦାୟିତ୍ବରେ ୩୩ ଜଣ, କୋମନା ବ୍ଲକ ଦାୟିତ୍ବରେ ୨୧ ଜଣ ଓ ଖରିଆଡ ରୋଡ ଏନଏସି ଦାୟିତ୍ବରେ ୧୧ ଜଣ ନେତାଙ୍କୁ ଉପନିର୍ବାଚନ ପାଇଁ ଦାୟିତ୍ବ ମିଳିଲା । ସେପଟେ ଉପନିର୍ବାଚନରେ ବିଭିନ୍ନ କ୍ଷତ୍ରିୟ ସଙ୍ଗଠନଗୁଡିକରେ ସମନ୍ବୟ ରକ୍ଷା ପାଇଁ ୨୧ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ବ ବାଣ୍ଟିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯେଉଁମାନଙ୍କ ଭିତରେ ବିଧାୟକ ପ୍ରମିଳା ମଲ୍ଲିକ, ସାଂସଦ ନିରଞ୍ଜନ ବିଶି, ବରିଷ୍ଠ ସାଧାରଣ ସମ୍ପାଦକ ଟୁକୁନି ସାହୁ, କୋଷାଧ୍ୟକ୍ଷ ସୁବାସ ସିଂହ, ପୂର୍ବତନ ସାଂସଦ ରମେଶ ମାଝି, ଲତିକା ପ୍ରଧାନଙ୍କ ସହ ଅନ୍ୟ ନେତୃବୃନ୍ଦଙ୍କୁ ସାମିଲ କରାଯାଇଛି ।