ଓଡ଼ିଶାରେ ଆକ୍ରୋଶ ରାଜନୀତି ଆରମ୍ଭ: ବିକ୍ରମ ପଣ୍ଡାଙ୍କ ଗିରଫଦାରୀକୁ ବଡ଼ ଷଡଯନ୍ତ୍ର କହି ବିଜେପିକୁ ବିଜେଡିର ଟାର୍ଗେଟ, କଂଗ୍ରେସର ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ନେତାଙ୍କୁ ଗିରଫ କରାଯାଇଛି । ହତ୍ୟାକାଣ୍ଡ ପଛରେ ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ନେଇ କୌଣସି ଠୋସ ପ୍ରମାଣ ନାହିଁ । ତେଣୁ ଆକ୍ରୋଶମୂଳକ ରାଜନୀତି ପାଇଁ ତାଙ୍କୁ ଗରିଫ କରାଯାଇଛି । ବିରୋଧୀଙ୍କୁ ନିନ୍ଦିତ କରିବାକୁ ଶାସକ ଦଳର ଏକ ପ୍ରକାର ଗରିଫ ଷଡଯନ୍ତ୍ର ବିରୋଧରେ ବର୍ଷିଛନ୍ତି ବିଜେଡି ବିଧାୟକ ଓ ସାଂସଦ । କଂଗ୍ରେସ କହିଛି, ବିଜେପି ଥାନାକୁ ଦଳୀୟ କାର୍ଯ୍ୟାଳୟରେ ପରିଣତ କରିଛି ।

ଓଡିଶାରେ ବିଜେପି ଆରମ୍ଭ କରିଛି ଆକ୍ରୋଶମୂଳକ ରାଜନୀତି । ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀଙ୍କୁ ନିନ୍ଦିତ କରୁଛି ଶାସକ ଦଳ । ଅପରାଧୀକୁ ନଧରି ସରକାର ବିରୋଧୀ ନେତାଙ୍କୁ ଗିରଫ କରୁଛନ୍ତି । ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ପଛରେ ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ନେଇ କୌଣସି ଠୋସ ପ୍ରମାଣ ନାହିଁ । ହେଲେ ତାଙ୍କୁ ଗିରଫ କରାଯାଇଛି । ସରକାରଙ୍କ ଏପରି ଆଭିମୁଖ୍ୟକୁ ନେଇ ବର୍ଷିଛି ବିଜେଡି । ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ଶବ ଉପରେ କିଏ ରାଜନୀତି କରୁଛି ଲୋକେ ବିଚାର କରିବେ । ବିଜେଡି ଶସ୍ତା ରାଜନୀତି କରେ ନାହିଁ । ରାଜନୀତି ପାଇଁ ବିଜେଡି ନେତାଙ୍କୁ ବିଜେପି ସରକାର ଗିରଫ କରିଥିବାରୁ ଏହାର ପ୍ରତିବାଦ କରୁଛି ବିଜେଡି । ସାଂସଦ ସୁଲତା ଦେଓ କହିଛନ୍ତି, ନୂଆପଡା ଉପନିର୍ବାଚନରେ ବିଜେଡିର ଶୋଭାଯାତ୍ରା ଦେଖି ଛାନିଆ ହୋଇଯାଇଛି ବିଜେପି । ନିର୍ବାଚନ ଦାୟିତ୍ବରେ ବିକ୍ରମ ପଣ୍ଡା ଥିଲେ । ବିଜେପି ଭୟଭୀତ ହୋଇ ବିକ୍ରମଙ୍କୁ ଷଡଯନ୍ତ୍ର କରି ଗିରଫ କରିଛି । ବିଜେଡିକୁ ବଦନାମ କରିବାକୁ ଏପରି ଗିରଫଦାରୀ କରାଯାଇଛି । ଲୋକେ ବିଜେପିର ଏ ଚରିତ୍ରକୁ ଭାରତ ବର୍ଷରେ ଦେଖି ସାରିଛନ୍ତି । ବିନା କାରଣରେ ଦିଲ୍ଲୀର ଜଣେ ମନ୍ତ୍ରୀଙ୍କୁ ଗିରଫ କରିଥିଲେ । ୨ବର୍ଷ ଜେଲରେ ରହିବା ପରେ ସେ ବାହାରିଥିଲେ । ବିଜେପିର ଚିତ୍ର ଓ ଚରିତ୍ରକୁ ଦେଶବାସୀ ଜାଣିଛନ୍ତି । ଆକ୍ରୋଶ ମୂଳକ ରାଜନୀତିକୁ ବିଜେଡି ବିରୋଧ କରିବ ।

କେବଳ ବିଜେଡି ନେତା ନୁହନ୍ତି । କଂଗ୍ରେସ ମଧ୍ୟ ବିଜେପିର ଆକ୍ରୋଶ ରାଜନୀତିକୁ କଡା ସମାଲୋଚନା କରିଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଶୁଡି ପଡ଼ିଛି । ବିଜେପି ଶାସନକୁ ଆସିବା ପରେ ସବୁ ଥାନାକୁ ନିଜର ଦଳୀୟ କାର୍ଯ୍ୟଳୟରେ ପରିଣତ କରିଛି । ଥାନା ଅଧିକାରୀମାନେ ପୋଲିସର ବରିଷ୍ଠ ଅଧିକାରୀଙ୍କ କଥା ନୁହେଁ, ବିଜେପି ନେତାଙ୍କ କଥାରେ ଚାଲିଛନ୍ତି । ପୂର୍ବରୁ ଓଡ଼ିଶାରେ ଏମିତି କେବେ ଦେଖିବାକୁ ମିଳି ନଥିଲା । ଯାହା ବିଜେପି ଶାସନରେ ଘଟୁଛି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ଓଡ଼ିଶାରେ ବିଜେପି ଶାସନକୁ ଆସିଲା ପରେ ଆକ୍ରୋଶ ରାଜନୀତି ଆରମ୍ଭ କରିଛି । ଆକ୍ରୋଶ ରାଜନୀତିରେ ପୋଲିସ ଏକ ପକ୍ଷ ହୋଇଯାଇଛି । ପୋଲିସ ସରକାରୀ ଦଳର କଥାରେ ସତ୍ୟକୁ ଲୁଚାଉଛି । ଯାହାର ଜବାବରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ବିଜେପି ଆକ୍ରୋଶ ରାଜନୀତି କରୁନାହିଁ ।

ରାଜନୈତିକ ଷଡଯନ୍ତ୍ର ପାଇଁ ବିକ୍ରମ ପଣ୍ଡାଙ୍କୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରି ବିଜେପି ସରକାର ବିରୋଧରେ ଗଂଜାମରୁ ରାଜଧାନୀ ଯାଏଁ ଗର୍ଜନ କରିଛି ମୁଖ୍ୟ ବିରୋଧୀ ଦଳ ବିଜେଡି । ତେବେ କିଏ ସତ କହୁଛି ଆଉ କିଏ ମିଛ କହୁଛି ତାହା ଉପରେ ରହିଛି ନଜର ।

ନଜର ପକାନ୍ତୁ