ଡୁଙ୍ଗୁରିପାଲି-ସୋନପୁର ମୁଖ୍ୟ ରାସ୍ତା ନଙ୍ଗଳକଟା ଠାରେ ରାସ୍ତାରୋକ

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ନଙ୍ଗଳକଟା ଗ୍ରାମବାସୀ ନବନିର୍ମାଣ ରାଇସମିଲ ବନ୍ଦ ଦାବିରେ ଆନ୍ଦୋଳନ କରିଛନ୍ତି । ଆଜି ସକାଳ ୬ ଟାରୁ ଡୁଙ୍ଗୁରିପାଲି-ସୋନପୁର ମୁଖ୍ୟ ରାସ୍ତା ନଙ୍ଗଳକଟା ଠାରେ ରାସ୍ତାରୋକ ଓ ଧାରଣା ଦେଇଛନ୍ତି l ଉକ୍ତ ଗ୍ରାମର ରାସ୍ତା ପାର୍ଶ୍ବରେ ସରସ୍ଵତୀ ରାଇସମିଲ ନିର୍ମାଣ ହୋଇଛି ଏବଂ ଏହି ମିଲକୁ କାର୍ଯ୍ୟକାରୀ କରିବାକୁ ପ୍ରଚେଷ୍ଟା ଚାଲିଛି l ଏହି ମିଲ ଚାଲୁ ହେଲେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନାନା ଅସୁବିଧା ଉପୁଜିବ । ପାଖରେ ଏକ ଡ଼ାକ୍ତରଖାନା ରହିଛି ଏବଂ ଏହା ଜନଗହଳି ପୂର୍ଣ୍ଣ ରାସ୍ତା ଥିବା ଯୋଗୁ ଜନ ସାଧାରଣ ବିଶେଷ ଅସୁବିଧା ଭୋଗିବେ । ତେଣୁ ଏହି ରାଇସମିଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଦାବି କରି ପ୍ରତିବାଦ ଓ ଧାରଣା ଦେଇଛନ୍ତି ଲୋକେ l ଯାହା ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ି ଗୁଡିକ ଅଟକି ରହିଛି ଏବଂ ସମ୍ପୂର୍ଣ୍ଣ ଭାବେ ରାସ୍ତା ବନ୍ଦ ହୋଇଛି l