ମାଡ଼ିଆସୁଛି ବାତ୍ୟା ’ମୋନ୍ଥା’ ; ଧୀରେ ଧୀରେ ହେଉଛି ଶକ୍ତିଶାଳୀ
ଭୁବନେଶ୍ବର : ବଙ୍ଗୋପସାଗରର ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି । ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ଏହା ଆଣ୍ଡାମାନ ନିକୋବରରୁ ୪୨୦ କିଲୋମିଟର, ବିଶାଖାପାଟଣାରୁ ୯୯୦ କିଲୋମିଟର ଓ ଚେନ୍ନାଇରୁ ୯୯୦ କିଲୋମିଟର ଓ ଗୋପାଳପୁରରୁ ୧୦୪୦ କିଲୋମିଟର ଦୂରରେ ରହିଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ୨୭ ତାରିଖ ସକାଳ ସୁଦ୍ଧା ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି। ଏହା ପରବର୍ତ୍ତୀ 48 ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗକୁ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିବ ବୋଲି କୁହାଯାଇଛି । ଏହି ସମ୍ଭାବ୍ୟ ବାତ୍ୟା ପାଇଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ । ପ୍ରବଳ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି । ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ଏଥିପାଇଁ ବିଭିନ୍ନ ଜିଲାକୁ ଆଲର୍ଟ କରାଯାଇଛି ।
ଆଜିଠୁ ପାଗ ବଦଳୁ ଥିବା ବେଳେ ୨୭ରୁ ୨୯ ତାରିଖ, ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ । ୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ବି ଦିଆ ଯାଇଛି ସମାନ ଚେତାବନୀ ।
ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତର ଚେତାବନୀ ଦିଆଯାଇଛି। ଝଡ଼ତୋଫୋନ ସହ ଏହି ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ । ୩୦ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ । ସେପଟେ କାଲିଠୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
