ମହାରାଷ୍ଟ୍ର ଡାକ୍ତର ଆତ୍ମହତ୍ୟା ବିବାଦ ; ମୃତ ମହିଳା ଡାକ୍ତରଙ୍କ ୪ପୃଷ୍ଠାର ସୁଇସାଇଡ ନୋଟ ଜବତ
ମହାରାଷ୍ଟ୍ର: ତେଜିବାରେ ଲାଗିଛି ମହାରାଷ୍ଟ୍ର ଡାକ୍ତର ଆତ୍ମହତ୍ୟା ବିବାଦ । ମହାରାଷ୍ଟ୍ର ସତାରାରେ ଆତ୍ମହତ୍ୟା କରିଥିବା ଡାକ୍ତର ଜଣେ ପୋଲିସ ଅଧିକାରୀଙ୍କୁ ଦୋଷ ଦେଇଛନ୍ତି । ପୋଲିସ ଅଫିସରଜଣଙ୍କ ତାଙ୍କୁ ଚାରି ଥର ଦୁଷ୍କର୍ମ କରିଥିଲେ ବୋଲି ନିଜର ଚାରି ପୃଷ୍ଠା ସମ୍ବଳିତ ସୁଇସାଇଡ ନୋଟରେ ଦର୍ଶାଇଛନ୍ତି ଡାକ୍ତର । କେବଳ ଏତିକି ନୁହେଁ, ପୋଲିସ ମାମଲା ଥିବା ଅଭିଯୁକ୍ତଙ୍କ ଲାଗି ଫେକ୍ ଫିଟନେସ ସାର୍ଟିଫିକେଟ ଦେବା ଲାଗି ତାଙ୍କୁ ବାଧ୍ୟ କରୁଥିଲେ ସବଇନ୍ସପେକ୍ଟର ଗୋପାଳ ବଦନେ । ଏହା ନକରିବାକୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଦର୍ଶାଇଛନ୍ତି । କେବଳ ପୋଲିସ ନୁହଁନ୍ତି ଏଥିଲାଗି ଜଣେ ସାଂସଦ ଓ ତାଙ୍କର ଦୁଇ ସହଯୋଗୀ ବି ଚାପ ସୃଷ୍ଟି କରୁଥିଲେ ବୋଲି ସେ ଦର୍ଶାଇଛନ୍ତି ।
ସତାରାର ଫଲଟାନ ଉପଜିଲ୍ଲା ହସ୍ପିଟାଲରେ ଡାକ୍ତର ଥିବା ୨୬ ବର୍ଷ ବୟସ୍କା ମେଡିକାଲ ଅଫିସରଙ୍କୁ ନେଇ ମହାରାଷ୍ଟ୍ରରେ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ପାଞ୍ଚ ମାସ ଧରି ପୋଲିସ ବାବୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ ବୋଲି ସେ ଅଭିଯୋଗ କରିଥିଲେ । ମହିଳା ଡାକ୍ତରଙ୍କୁ ବାରମ୍ବାର ଚାପ ଯୋଗୁ ସେ ଏସପି ଓ ଡିଏସପିଙ୍କ ନିକଟକୁ ପତ୍ର ଲେଖିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା ବୋଲି କହିଛନ୍ତି ଡାକ୍ତରଙ୍କ ସମ୍ପର୍କୀୟ ଭଉଣୀ । ଅନ୍ୟଜଣେ ଅଧିକାରୀ ପ୍ରଶାନ୍ତ ବାଙ୍କର ବି ତାଙ୍କୁ ହଇରାଣ କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଏହି ଘଟଣାରେ ଗୋପାଳ ଓ ବାଙ୍କରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ କରୁଛନ୍ତି କୋହ୍ଲାପୁର ଡିଭିଜନ ଆଇଜିପି ସୁନୀଲ ଫୁଲାରି ।
ଏହି ସ୍ପର୍ଶକାତର ଘଟଣାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଗତ ୨୧ ତାରିଖ ମଙ୍ଗଳବାର ରାତିରେ ଡାକ୍ତରଙ୍କ ମରଶରୀର ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ନିଜର ପାପୁଲିରେ ବି ଅଭିଯୁକ୍ତ ଡାକ୍ତରଙ୍କ ନାମ ଲେଖିବା ସହ ଆତ୍ମହତ୍ୟା ଲାଗି ସେ ଦାୟୀ ବୋଲି ଡାକ୍ତର ଲେଖିଥିଲେ । ଡାକ୍ତରଙ୍କ ଘର ବିଡ୍ ଜିଲ୍ଲାରେ । ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମହିଳା କମିଶନ ଅଧ୍ୟକ୍ଷା ରୂପାଲି ଚକନକାର ।
